ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ ଦ୍ରୁତଗାମୀ ପିକଅପ୍ ଭ୍ୟାନ (ନଂ. ଓଡ଼ି୦୨ ବିଏମ – ୬୮୪୦)  ଧକ୍କାରେ ଏକ ଚାହା କେବିନ୍ ସମେତ ଦୁଇଟି ବାଇକ ଚୁରମାର୍ ହୋଇଯାଇଛି । ଏହି ଦୁର୍ଘଟଣାରେ ଚାହା ଦୋକାନୀ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ହେଲେ ଦେଓଖାଳି ଗ୍ରାମ ମଠ ସାହିର କୋରା ବେହେରା(୫୩) ।

ଖବର ଅନୁସାରେ, ପ୍ରତିଦିନ ଭଳି ବୁଧବାର ଭୋରରୁ ଘରୁ ଯାଇ କୋରା କେବିନ୍ ଖୋଲିଥିଲେ । ଉପସ୍ଥିତ ଥିବା  ଗ୍ରାହକମାନଙ୍କ ପାଇଁ ଚୁଲିରେ ଚାହା ବସାଇ ଠାକୁର ପୂଜା କରୁଥିଲେ । ଏହି ସମୟରେ  ଚିକିଟିରୁ ଦିଗପହଣ୍ଡି ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଟି ରାସ୍ତାକଡ଼ରେ ଥିବା କେବିନ ଆଡ଼କୁ ମୁହାଁଇଥିଲା । ଏହାଦେଖି ଚାହା ପିଇବାକୁ ଅପେକ୍ଷା କରିଥିବା ଲୋକେ ପ୍ରାଣ ବିକଳରେ ଦୌଡ଼ି ଥିଲେ । ପିକଅପଟି କେବିନକୁ ଧକ୍କା ଦେବା ସହ ସେଠାରେ ଥିବା ଦୁଇଟି ବାଇକକୁ କିଛି ଦୂର ଘୋଷାଡି ନେଇ ଅଟକି ଯାଇଥିଲା।

ଆଖପାଖ ରେ ଥିବା ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସି କେବିନ୍ ଭିତରୁ କୋରାଙ୍କୁ  ଉଦ୍ଧାର କରି  ନିକଟସ୍ଥ ବମକୋଇ ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ ।  ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ କୋରାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ତାଙ୍କ ମୁଣ୍ଡ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ସଙ୍କଟାପନ୍ନ ଅବସ୍ଥାରେ ପରିବାର ଲୋକେ ତାଙ୍କୁ  ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।  ଏହି ଭୟଙ୍କର ଦୁର୍ଘଟଣାରେ ବହୁ ଲୋକଙ୍କ  ଜୀବନ ବର୍ତ୍ତି ଯାଇଛି ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଘଟଣାପରେ ଦୌଡ଼ି ପଳାଉଥିବା ପିକଅପ୍ ଚାଳକଙ୍କୁ ଲୋକେ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଥିଲେ । କ୍ଷତିଗସ୍ତ ବାଇକର ମାଲିକ ପୁରୁଷୋତ୍ତମ ମୁଳି ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେବା ପରେ ମାମଲା ନଂ.୨୫/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି ।

 

Dharitri –Odisha’s No.1 Trusted Odia Daily