୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ପେଟୁରୁ ପଞ୍ଚାୟତ ପଡାଲଗୁଡ଼ା ଗ୍ରାମର ଅନିତା ସେଡ଼ା, ତାଙ୍କ ସ୍ବାମୀ ସେଡା ଆପାନା ଓ ଗୁମୁଡୁପାଡୁ ଗ୍ରାମର ଚିନ୍ତା ଏକବ୍‌।
ମିଳିଥିବା ସୂଚନା ମୁତାବକ, ରବିବାର ରାତିରେ ଅନିତା, ସ୍ବାମୀ ସେଡା, ୨ ପିଲା ଦାନିୟାଲ ଏବଂ ଦିନାଙ୍କ ସହ ବାଇକ୍‌(ଏପି୩୯-ଡିଏସ୍‌-୫୬୦୧) ଯୋଗେ ଆନ୍ଧ୍ର ପ୍ରଦେଶର ବାରିଗଁାରୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍‌(ଏପି୩୯-ସିୟୁ-୬୪୨୨) ସହ ମୁହଁାମୁହିଁ ହୋଇଥିଲେ।
ଏଥିରେ ଅନିତା ଓ ଚିନ୍ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନିତାଙ୍କ ସ୍ବାମୀ, ତାଙ୍କ ୨ ପିଲା, ଅନ୍ୟ ବାଇକ୍‌ରେ ଥିବା ଅମ୍ପାବାଲି ପଞ୍ଚାୟତ ପୁଟାବନ୍ଧ ଗ୍ରାମର ମୁସୁରି ଇସାକ ଓ ଆଉ ୨ଜଣ ଗୁରୁତର ହୋଇଥିଲେ। ଖବର ପାଇ ସୁଙ୍କି ଥାନା ଅଧିକାରୀ ଚତୁର୍ଭୁଜ ନାୟକଙ୍କ ସହ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ମେଡିକାଲରେ ପହଞ୍ଚିବା ପୂର୍ବରୁ ସେଡାଙ୍କ ମୃତ୍ୟୁ ହୋଇଥିଲା। ୪ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଅନ୍ୟ ଜଣଙ୍କ ପରିଚୟ ମିଳି ପାରିନାହିଁ।