ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍ରେ ପରାସ୍ତ କରିଛି। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୨୩୮ ରନ୍ର ପାହାଡ଼ ସଦୃଶ ସ୍କୋର ଛିଡ଼ା କରିଥିଲା। ଭାରତ ପାଇଁ ଅଭିଷେକ ଶର୍ମା ମାତ୍ର ୩୫ ବଲ୍ରୁ ୮୪ ରନ୍ ସଂଗ୍ରହ କରିଥିଲେ। ମାତ୍ର ୨୨ ବଲ୍ରେ ଅର୍ଦ୍ଧଶତକ ପୂରଣ କରି ସେ ଆନ୍ତର୍ଜାତୀୟ ଟି-୨୦ରେ ୮ମ ଥର ପାଇଁ ୨୫ ବଲ୍ରୁ କମ୍ରେ ଅର୍ଦ୍ଧଶତକ ହାସଲ କରିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ରିଙ୍କୁ ସିଂ ଶେଷ ଭାଗରେ ୨୦ ବଲ୍ରୁ ଅପରାଜିତ ୪୪ ରନ୍ର ଇନିଂସ ଖେଳି ଭାରତକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ (୩୨) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୨୫) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରନ୍ ଯୋଡ଼ିଥିଲେ।
୨୩୯ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୭ ଉଇକେଟ୍ ହରାଇ ୧୯୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ବରୁଣ ଚକ୍ରବର୍ତ୍ତୀ ଏବଂ ଶିବମ ଦୁବେ ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ୍ ନେଇ କିୱି ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

