ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋରିପଦର ଗ୍ରାମ ହାଇସ୍କୁଲ ମ୍ୟାଟ୍ରିକ ୧୯୯୨ ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କଇଠଖଣ୍ଡି ପଞ୍ଚାୟତର ମଧୁବନ ଗ୍ରାମସ୍ଥିତ ଶ୍ରୀ ଲୋକନାଥେଶର ମନ୍ଦିର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନୋରଞ୍ଜନ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ଦିବଙ୍ଗତ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଉପସ୍ଥିତ ଥିବା ପଣ୍ଡିତ ଉଦୟନାଥ ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରୀଶ ଚନ୍ଦ୍ର ମିଶ୍ର, ଭୀମସେନ ଗୌଡ, ସୁବାସ ଚନ୍ଦ୍ର ସାହୁ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବୈକୁଣ୍ଠ ନାଥ ଶୁକ୍ଲାଙ୍କ ସମେତ ଅଭିମନ୍ୟୁ ଗୌଡ, ଅନୁ ଗୌଡ ଏବଂ ଗଣେଶ ଗୌଡଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଏଥିରେ ପୁରାତନ ଓ ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ରହିଥିବା ଗୁରୁ-ଶିଷ୍ୟ ପରମ୍ପରା ଏବଂ ସମାଜରେ ତାହାର ପ୍ରଭାବ ଉପରେ ତୁଳନାତ୍ମକ ଚିତ୍ର ଦେଖିବାକୁ ମିଳିଥିଲା। ଏପରିକି ଦୀର୍ଘବର୍ଷ ପରେ ଏକାଠି ହୋଇଥିବା ହାଇସ୍କୁଲ ଶିକ୍ଷକ ଓ ଛାତ୍ରୀଛାତ୍ର ଗଣ ଅତୀତର ସ୍ମୃତିକୁ ରୋମନ୍ଥନ କରୁଥିବା ବେଳେ ଭାବବିହ୍ବଳ ହୋଇ ପଡିଥିଲେ। କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରୀଛାତ୍ର ଯୋଗଦେଇଥିବାବେଳେ ଶେଷରେ ପ୍ରଦୀପ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଶ୍ରୀ ଲୋକନାଥେଶ୍ବର ମନ୍ଦିର ପରିସରରେ ବିଭିନ୍ନ ଔଷଧୀୟ ଚାରା ରୋପଣ କରାଯାଇଥିଲା।

