ନୂଆଦିଲ୍ଲୀ,୧୯।୧୦: ଟେଷ୍ଟ କ୍ରିକେଟ୍ରେ ସାଧାରଣତଃ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସହ ଭବିଷ୍ୟତ ପାଇଁ ଦଳ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଏ। କିନ୍ତୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ବୟସକୁ ନେଇ ଏକ ବିରଳ ରେକର୍ଡ ସାମ୍ନାକୁ ଆସିଛି । ଦକ୍ଷିଣ ଆଫ୍ରିକାର ଚୂଡ଼ାନ୍ତ ଏକାଦଶରେ ୩୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ୮ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ୧୯୨୪ ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଏତେ ସଂଖ୍ୟକ ୩୦ ବର୍ଷରୁ ଅଧିକ ବୟସର ଖେଳାଳିଙ୍କୁ ନେଇ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଓହ୍ଲାଇଛି । ଅର୍ଥାତ୍ ୧୦୨ ବର୍ଷ ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଦକ୍ଷିଣ ଆଫ୍ରିକା ଦଳରେ ୩୦ ବର୍ଷରୁ ଅଧିକ ବୟସର ୮ ଖେଳାଳି
ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୧୮ରେ ଗକେବରହାସ୍ଥିତ ସେଣ୍ଟ ଜର୍ଜ ପାର୍କରେ ଆରମ୍ଭ ହୋଇଥିଲା। ତେବେ ବର୍ଷା ଯୋଗୁଁ ପ୍ରଥମ ଦିନରେ ମାତ୍ର ୧୨.୨ ଓଭର ଖେଳ ସମ୍ଭବ ହୋଇଥିଲା। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦ୍ରୁତ ବୋଲର ସ୍କଟ୍ ବୋଲାଣ୍ଡ ଆରମ୍ଭରୁ ଦୁଇଟି ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ୨୦ ରନ୍ରେ ଦୁଇଟି ଝଟ୍କା ଦେଇଥିଲେ।
ଡର୍ବାନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୨୧୪ ରନ୍ରେ ପରାସ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଥିଲା। ୩୦ ବର୍ଷୀୟ ମାର୍କସ୍ ଏକରମ୍ୟାନ୍ ଟେଷ୍ଟ କ୍ରିକେଟ୍ରେ ପଦାର୍ପଣ କରିଥିବା ବେଳେ ମାଥ୍ୟୁ ବ୍ରିଟ୍ଜକେ ଓ କାଗିସୋ ରାବାଡା ଦଳକୁ ଫେରିଥିଲେ। ଏକରମ୍ୟାନ୍ ଓ ରାବାଡାଙ୍କ ସାମିଲ ହେବା ପରେ ଦଳରେ ୩୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଖେଳାଳିଙ୍କ ସଂଖ୍ୟା ୮ରେ ପହଞ୍ଚିଥିଲା। ଏହା ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ରିକେଟ୍ ଇତିହାସରେ ଏକ ବିରଳ ଘଟଣା।
ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ମଧ୍ୟ ଏକ ନିଆରା ରେକର୍ଡ କରିଛି। ଦଳର ଚୂଡ଼ାନ୍ତ ଏକାଦଶରେ ଥିବା ସମସ୍ତ ଖେଳାଳିଙ୍କ ବୟସ ୩୦ ବର୍ଷ କିମ୍ବା ତା’ଠାରୁ ଅଧିକ। ଦଳର ସବୁଠାରୁ ଯୁବ ଖେଳାଳି ହେଉଛନ୍ତି ମ୍ୟାଟ୍ ରେନ୍ଶ, ଯାହାଙ୍କ ବୟସ ୩୦ ବର୍ଷ। ଅନ୍ୟପକ୍ଷରେ ଷ୍ଟିଭ୍ ସ୍ମିଥ୍ ଓ ସ୍କଟ୍ ବୋଲାଣ୍ଡ ୩୭ ବର୍ଷ ବୟସରେ ଦଳର ସବୁଠାରୁ ବୟସ୍କ ଖେଳାଳି ଅଛନ୍ତି। ଦକ୍ଷିଣ ଆଫ୍ରିକା ଦଳରେ ସ୍ପିନର ସାଇମନ୍ ହାର୍ମର ୩୭ ବର୍ଷ ବୟସରେ ସବୁଠାରୁ ବୟସ୍କ ଖେଳାଳି ହୋଇଥିବା ବେଳେ ଦ୍ରୁତ ବୋଲିଂ ଅଲ୍ରାଉଣ୍ଡର ମାର୍କୋ ଜାନସେନ୍ ୨୬ ବର୍ଷ ବୟସରେ ଦଳର ସବୁଠାରୁ ଯୁବ ଖେଳାଳି ଅଛନ୍ତି।

