ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର ଓ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ନିଜ ବାପାକୁ ଗିରଫ କରିଛି। ଡିଏନଏ ପରୀକ୍ଷା ପରେ ଏହି ଜଘନ୍ୟ କାଣ୍ଡର ପର୍ଦ୍ଦାଫାଶ ହୋଇଛି।
ଗତ ସେପ୍ଟେମ୍ବର ମାସରେ ଯୁବତୀଜଣକ ପେଟରେ ଯନ୍ତ୍ରଣା ହେଉଥିବା ନେଇ ନିଜ ଆଈଙ୍କୁ ଜଣାଇଥିଲେ। ଡାକ୍ତରୀ ପରୀକ୍ଷା ପରେ ସେ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ପୋଲିସ ଏହି ମାମଲାରେ ତଦନ୍ତ କରିବା ସହ ୧୭ ଜଣ ସନ୍ଦିଗ୍ଧଙ୍କ DNA ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା। ଗତ ଜାନୁଆରୀ ୨୭ରେ ଆସିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ, ଗର୍ଭସ୍ଥ ଭ୍ରୂଣ ସହ ଯୁବତୀଙ୍କ ବାପାର DNA ମେଳ ଖାଉଛି।
ଏହି ମାମଲାରେ ବାପା ସହିତ ପୂର୍ବରୁ ଅନ୍ୟ ଜଣେ ବ୍ୟକ୍ତି ଓ ଜଣେ ୧୭ ବର୍ଷୀୟ କିଶୋରକୁ ମଧ୍ୟ ପୋଲିସ ଅଟକ ରଖିଛି। ପ୍ରଥମେ ପୀଡ଼ିତାଙ୍କ ବାପା କୌଣସି ଅଭିଯୋଗ କରିବାକୁ ମନା କରିବା ସହ ନିଜ ଝିଅ କିପରି ଗର୍ଭବତୀ ହେଲା ସେ ନେଇ ଅଜ୍ଞତା ପ୍ରକାଶ କରିଥିଲା।
ଯୁବତୀଜଣକ ଶାରୀରିକ ଅକ୍ଷମତା ଯୋଗୁଁ ବୟାନ ଦେବାରେ ସମସ୍ୟା ହୋଇଥିଲା, ମାତ୍ର କାଉନସେଲିଂ ପରେ ସେ ସଙ୍କେତ ମାଧ୍ୟମରେ ସବୁ କଥା ଜଣାଇଥିଲେ।
ପୋଲିସର ସୂଚନା ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ଏହି ବଳାତ୍କାର ହୋଇଥିଲା। ସେପ୍ଟେମ୍ବର ୨୨ ତାରିଖରେ ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଏବେ DNA ରିପୋର୍ଟ ଆଧାରରେ ମୁଖ୍ୟ ଅଭିଯୁକ୍ତ ବାପାକୁ ଜେଲ୍ ପଠାଯାଇଛି।

