ବଜେଟରୁ ଅଧା ଖର୍ଚ୍ଚ କରିପାରିନାହାନ୍ତି ୧୭ ବିଭାଗ, ପଛରେ ପଡିଛନ୍ତି ବିପର୍ଯ୍ୟୟ, କ୍ରୀଡ଼ା

ଭୁବନେଶ୍ୱର,୧୮।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ୨୦୨୫-୨୬ ଆର୍ଥିକବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି, ଯାହାକି ୨୦୨୪-୨୫ ଆର୍ଥିକବର୍ଷର ବଜେଟ ପରିମାଣ ୨.୬୫ ଲକ୍ଷ କୋଟି ଟଙ୍କା ତୁଳନାରେ ୯% ଅଧିକ। ତେବେ ୨୦୨୪- ୨୫ ଆର୍ଥିକ ବର୍ଷ ବଜେଟ ବ୍ୟୟବରାଦ ଖର୍ଚ୍ଚ କରିବାରେ ଅଧିକାଂଶ ବିଭାଗ ପଛରେ ପଡ଼ିଛନ୍ତି। ୪୪ ବିଭାଗ ଭିତରୁ ୧୭ଟି ବିଭାଗ ବଜେଟ ଖର୍ଚ୍ଚ କରିବାରେ ବହୁ ପଛରେ ଅଛନ୍ତି। ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ୮୬୭୪ କୋଟି ୧୯ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ସେଥିରୁ ୧୧୭୦ କୋଟି ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଜାନୁଆରୀ ଶେଷ ସୁଦ୍ଧା I ମାତ୍ର ୧୩.୪୯% ଖର୍ଚ୍ଚ କରିପାରିଛି ବିଭାଗ।

ସେହିପରି କ୍ରୀଡ଼ା ଓ ଯୁବ ସେବା ବିଭାଗ ଖର୍ଚ୍ଚ କରିଛି ୧୯.୭୭% । ବିଭାଗ ପାଇଁ ବ୍ୟୟବରାଦ ହୋଇଥିଲା ୧୨୫୩ କୋଟି ୨୩ ଲକ୍ଷ ଟଙ୍କା, ଖର୍ଚ୍ଚ କରିପାରିଛନ୍ତି ୨୪୭ କୋଟି ୭୯ ଲକ୍ଷ। ଇସ୍ପାତ ଓ ଖଣି ବିଭାଗ ୨୦.୫୨%, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ୨୭.୧୦%, ମିଶନ ଶକ୍ତି ୨୩.୪୨%, ପର୍ଯ୍ୟଟନ ବିଭାଗ ୩୮.୦୬%, ଯୋଜନା ଓ ସଂଯୋଜନା ୩୬.୬୮%, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୩୮.୦୫%, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ୩୮.୭୪% ବଜେଟ ଖର୍ଚ୍ଚ କରିପାରିନାହାନ୍ତି ଜାନୁଆରୀ ଶେଷ ସୁଦ୍ଧା ।

ବଜେଟ ଖର୍ଚ୍ଚରେ ବହୁ ପଛରେ ପଡ଼ିଥିବା ବିଭାଗ ମଧ୍ୟରେ ଆଇନ, ଏସ୍‌ସି-ଏସ୍‌ଟି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ ଓ ପେନସନ, ପରିବହନ, ଶକ୍ତି, ଆଇଟି ବିଭାଗ ପ୍ରମୁଖ ରହିଛନ୍ତି। ଏସବୁ ବିଭାଗର ବଜେଟ ଖର୍ଚ୍ଚ ୫୦% ତଳେ ରହିଛି। ଅର୍ଥାତ ଯେତିକି ଅନୁଦାନ ମିଳିଛି, ତା’ର ଅଧା ବି ଖର୍ଚ୍ଚ କରିପାରିନାହାନ୍ତି। ସାଧାରଣ ଉଦ୍ୟୋଗ, କୃଷି, ବିଜ୍ଞାନ ଓ ବୈଷୟିକ, ସ୍ବାସ୍ଥ୍ୟ, ରାଜସ୍ବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ବିଭାଗ ଜାନୁଆରୀ ଶେଷ ସୁଦ୍ଧା ୭୦%ରୁ ଅଧିକ ବ୍ୟୟବରାଦ ଅର୍ଥ ଖର୍ଚ୍ଚ କରିପାରିଛନ୍ତି। ବିଧାନସଭା ପ୍ରଶ୍ନର ଉତ୍ତରରେ ସରକାର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

Share