ଲାଞ୍ଜିଗଡରେ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କଲେ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା

ଲାଞ୍ଜିଗଡ଼,୧୧।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦୁଇ ଦିନିଆ ଗସ୍ତରେ ଭାରତ ସରକାରଙ୍କ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା ଆସିଥିବାବେଳେ ମଙ୍ଗଳବାର ଦ୍ଵିତୀୟ ଦିନରେ ଲାଞ୍ଜିଗଡ଼ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପ ପରିଦର୍ଶନ କରିବା ସହିତ ହିତାଧିକାରୀଙ୍କ ସହିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।

ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲାଞ୍ଜିଗଡ଼ ବ୍ଲକ ଏକ ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏହି ବ୍ଲକରେ ସରକାରଙ୍କ ଅନେକ ଲୋକାଭିମୁଖୀ ଯୋଜନା ମାଧ୍ୟମରେ ବିକାଶମୂଳକ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟର ସମୀକ୍ଷା ପାଇଁ ଜିଲା ଏବଂ ରାଜ୍ୟ ସ୍ତରରୁ ଅନେକ ପଦାଧିକାରୀ ଆସୁଥିବା ବେଳେ ମଙ୍ଗଳବାର ଭାରତ ସରକାରଙ୍କ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା ଲାଞ୍ଜିଗଡ଼ ବ୍ଲକକୁ ଦିନିଆ ଗସ୍ତ କରି ଅନେକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଆଜି ସକାଳୁ ପ୍ରଥମେ ସେ ଲାଞ୍ଜି ପଞ୍ଚାୟତର ପାହାଡ଼ ଉପରେ ଥିବା ୧୫ ଗୋଟି ପରିବାରକୁ ତଳକୁ ଆଣି ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ଥଇଥାନ କରାଯାଇଥିଲା ଏବଂ ତାହାର ନାମକରଣ ବିକାଶ ନଗର କରାଯାଇଥିଲା। ସେହି ବିକାଶ ନଗର ପରିଦର୍ଶନ କରି ଗ୍ରାମୀଣ ଗୃହ, ଲାଞ୍ଜିଗଡ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ବାରା ଆୟୋଜିତ କାଜୁ ବଗିଚା, ମନରେଗା ଓ ଆମ ଗାଁ ଆମ ବିକାଶ କାର୍ଯ୍ୟର ସମୀକ୍ଷା କରିବା ସହ ହିତାଧିକାରୀଙ୍କ ସହିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ଶ୍ରୀ ପଣ୍ଡା।

ଏହାପରେ କାନକୁଟୃ ପଞ୍ଚାୟତରେ ଶୋହଳ ଗୋଟି ପରିବାରକୁ ନେଇ ନିର୍ମାଣ ହୋଇଥିବା ଆବାସ ନଗରକୁ ମଧ୍ୟ ପରିଦର୍ଶନ କରି ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ନିୟମଗିରି ପାହାଡର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଗାଁ ଗସ୍ତ କରି ଛେଳି ହଷ୍ଟେଲର ତଦାରଖ କରିବା ସହ ପିଭିଟିଜି ହିତାଧିକାରୀଙ୍କ ସହିତ ଆଲୋଚନା କରି ପ୍ରଧାନ ମନ୍ତ୍ରୀ ଜନମନ ଯୋଜନାରେ ନିର୍ମାଣ ହୋଇଥିବା ଘର ଦେଖିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରି ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

ସେହିପରି ଜଗନ୍ନାଥପୁର ଠାରେ ନିର୍ମାଣ ହୋଇଥିବା ଅତ୍ୟନ୍ତ ଲୋଭନୀୟ ଓ ଆକର୍ଷଣୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ବ୍ଲକ ପ୍ରଶାସନକୁ ପ୍ରଶଂସା କରି ଥିଲେ। ମନରେଗା ଓ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ନିର୍ମାଣ ହୋଇଥିବା ଘର ସମେତ ହିତାଧିକାରୀଙ୍କ ସହିତ ଆଲୋଚନା ପରେ ନିୟମଗିରି ବେଦାନ୍ତ ନଗରର ଆଦିବାସୀ କୀର୍ତିକଳା ପ୍ରିଣ୍ଟିଂଙ୍ଗ ଦେଖିଥିଲେ। ଏହି ଗସ୍ତରେ କଳାହାଣ୍ଡି ଜିଲାପାଳ ସଚିବ ପାୱାର ପ୍ରକାଶ, କଳାହାଣ୍ଡି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ଦୟାମୟ ପାଢୀ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଅମୁଲ୍ୟ ବାହୁଲ, ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଶଶାଙ୍କ ପାତ୍ର, ପଞ୍ଚାୟତ ନିର୍ବାହି ଅଧିକାରୀ ତାପସ ସାହୁ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ।

Share