Posted inଫୁରସତ

ପ୍ରଥମ ରୋଜଗାରର ୧୫୦ ଟଙ୍କା ବି କୋଟିଏ ଟଙ୍କା ପରି ଲାଗୁଥିଲା: ସୁଚିତ୍ରା ମିଶ୍ର

ଜୀବନର ପ୍ରଥମ ରୋଜଗାରର ପୁଲକ ସତରେ କ’ଣ ବଖାଣିହୁଏ? ସେଦିନର ସେ ଅନୁଭବ ଏବେ ବି ହୃଦୟରେ ଶିହରଣ ଖେଳାଏ। ଅତୀତର ସେଇ ଅପୂର୍ବ ମୁହୂର୍ତ୍ତଟି ଉଭା ହୋଇଯାଏ ଆଖି ଆଗରେ। ସେତେବେଳେ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅର୍ଥନୀତି ସମ୍ମାନର ଛାତ୍ରୀ ଥିଲି ମୁଁ। ସ୍କୁଲରେ ପଢ଼ିବାବେଳୁ ଲେଖାଲେଖି କରୁଥିଲି। ମନପବନ, ବାରମଜା, ମୀନାବଜାର ଆଦି ପତ୍ରିକାରେ ନିୟମିତ ପ୍ରକାଶ ପାଉଥିଲା ମୋ ଲେଖା। ସମ୍ବଲପୁରରୁ ପ୍ରକାଶିତ ହୀରାଖଣ୍ଡର ସାହିତ୍ୟ ପୃଷ୍ଠାରେ ବି ମୋ ଲେଖା ସ୍ଥାନ ପାଉଥିଲା। ବିଜ୍ଞାନର ଅଗ୍ରଗତି ଫଳରେ ରେଡିଓରୁ ଦୂରଦର୍ଶନକୁ ପ୍ରସରି ଯାଇଥିଲା ଆମର ଯାତ୍ରା। ସେତେବେଳେ ନୂଆ କରି ଦୂରଦର୍ଶନ ଆରମ୍ଭ ହୋଇଥାଏ ସମ୍ବଲପୁରରେ। କଳାଧଳା ଟେଲିଭିଜନରେ ନାଟକ, ଚଳଚ୍ଚିତ୍ର, କୃଷି ଦର୍ଶନ ଆଦି କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା ନିର୍ଦ୍ଦିଷ୍ଟ କିଛି ସମୟ ପାଇଁ। ଦୂରଦର୍ଶନରେ ନାଟକ ଦେଖି ମୋର ବି ନାଟକ ଲେଖିବାକୁ ମନହେଲା। ସତରେ କ’ଣ ମୋ ରଚିତ ନାଟକ ଦୂରଦର୍ଶନରେ ପ୍ରସାରିତ ହେବ? ଏମିତି ମଧୁର ସ୍ବପ୍ନଟିଏ ବେଳକୁ ବେଳ ଆଚ୍ଛନ୍ନ କରି ରଖିଲା ମତେ। ଲେଖିଲି କିଶୋର କିଶୋରୀମାନଙ୍କ ପାଇଁ ନାଟକଟିଏ- ‘ଅନ୍ଧାର ପରେ’। ଘରେ କାହାକୁ କିଛି ନ କହି ନାଟକଟି ପଠେଇଦେଲି ଦୂରଦର୍ଶନ କେନ୍ଦ୍ରକୁ। ମୋ ରଚିତ ନାଟକଟି ପ୍ରସାରିତ ହେବା ପାଇଁ ମନୋନୀତ ହେବା ନେଇ ଚିଠି ପାଇଲି। ସେଦିନ ଘରେ ଏକଥା କହିଲି ଓ ସମସ୍ତଙ୍କର ପ୍ରଶଂସା ସାଉଁଟିଲି। ସୁରେଶ ଚନ୍ଦ୍ର ଶେଠଙ୍କ ନିର୍ଦ୍ଦେଶନାରେ ନାଟକଟି ପ୍ରସାରିତ ହେବାପାଇଁ ପ୍ରସ୍ତୁତ ହୋଇଗଲା। ମୋ ପାଖକୁ ଆସିଲା ୧୫୦ ଟଙ୍କାର ଚେକ୍‌ଟିଏ ଦୂରଦର୍ଶନ ତରଫରୁ। ତତ୍‌ସଂଲଗ୍ନ ଏକ କାଗଜରେ (ଭାଉଚର୍‌ରେ) ୨୦ ପଇସାର ରେଭିନ୍ୟୁ ଷ୍ଟାମ୍ପ ଉପରେ ଦସ୍ତଖତ କରି ଡାକରେ ପଠେଇଦେବା ପାଇଁ ନିର୍ଦ୍ଦେଶ ଥିଲା। ଖୁବ୍‌ ଉତ୍ସାହିତ ଲାଗୁଥିଲା। ଡାକରେ କାଗଜଟିକୁ ପଠେଇ ଘରକୁ ଫେରି ସେଇଦିନ ହିଁ ଅଧାଲେଖା ନାଟକ ‘କୁଳବଧୂ’କୁ ଶେଷ କରି ପକେଇଥିଲି। ସେଇ ନାଟକଟି ମଧ୍ୟ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ଅଳ୍ପ କିଛି ମାସର ବ୍ୟବଧାନ ପରେ। ପ୍ରଥମ ରୋଜଗାରର ପୁଲକ ଯେ ମତେ ଆଉ ଗୋଟିଏ ନାଟକ ଲେଖେଇ ଦେଇଥିଲା ତା’ ନୁହେଁ- କିନ୍ତୁ ସେ ଅପୂର୍ବ ଅନୁଭୂତି ମୋ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିଥିଲା ନିଶ୍ଚୟ। ଆଉ ତାହା ହିଁ ମୋ ହାତର କଲମକୁ ଚଳଚଞ୍ଚଳ କରିଥିଲା। ୧୫୦ ଟଙ୍କାର ଚେକ୍‌ଟି ବାପାଙ୍କ ହାତକୁ ବଢ଼େଇ ଦେବାବେଳେ, ମୋର କୃତିତ୍ୱରେ ବାପାଙ୍କ ମୁହଁରେ ଝଲସି ଉଠିଥିବା ସେହି ଖୁସିଟି, ଏବେବି ମୋ ଭିତରେ ମିଠା ଚମକଟିଏ ଖେଳେଇଦିଏ। ସେଦିନ ବାପା କିଛି କହିବା ଆଗରୁ ମୋ ବୋଉ କହିଥିଲା, ‘ତୋ ପଇସା ଇଏ। ତୋର ଯେମିତି ଇଚ୍ଛା ଖର୍ଚ୍ଚ କରିବୁ।’ ବାପାଙ୍କ ଉଦ୍ଦେଶ୍ୟରେ କହିଥିଲା, ‘କାଲି ସେ ଚେକ୍‌ ବ୍ୟାଙ୍କରେ ଜମାକରି ଝିଅକୁ ତା’ ଟଙ୍କା ଦେଇଦେବ। ସେ ଖର୍ଚ୍ଚ କରିବ।’ ବୋଉ ମୁହଁରେ ବି ଝଲସୁଥିଲା ମିଠା ହସଟିଏ। ୧୫୦ ଟଙ୍କା ସେତେବେଳେ କୋଟିଏ ଟଙ୍କା ପରି ଲାଗୁଥିଲା ମୋତେ। ସେ ଟଙ୍କାରେ ମୋ ମନ ପସନ୍ଦର ବେଶ ଗୁଡାଏ ଗପ ବହି କିଣିଥିଲି। ମୋ ପ୍ରଥମ ରୋଜଗାରର ପୁଲକ ମୋତେ ସାହିତ୍ୟର ପୃଥିବୀରେ ଟିକେ ଆଗକୁ ବଢ଼ିଯିବା ପାଇଁ ପ୍ରେରଣା ଯୋଗାଇଥିଲା ଆଉ ଆତ୍ମପ୍ରତ୍ୟୟର ମଞ୍ଜିଟିଏ ବୁଣି ଦେଇଥିଲା ମୋ ଭିତରେ; ଯାହା ଧୀରେ ଧୀରେ ଅଙ୍କୁରୋଦ୍‌ଗମ ହୋଇ ଡାଳପତ୍ର ମେଲେଇବାର ପ୍ରୟାସରେ ଅଛି ଏଯାଏଁ।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri