ଉଦଳା,୧୩।୯(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ କୁଣ୍ଡାବାଇ ହାଇସ୍କୁଲସ୍ଥିତ ହଷ୍ଟେଲରେ ବାସି ପଖାଳ ଖାଇ ୧୫ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଶ୍ରୀଦାମଚନ୍ଦ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଉକ୍ତ ଛାତ୍ରମାନେ ପଖାଳ ଖାଇଥିଲେ। କିଛି ସମୟ ପରେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଡାକ୍ତରଖାନା ଆଣିଥିଲେ। ରିପୋର୍ଟ ଲେଖାହେବା ସୁଦ୍ଧା ଉକ୍ତ ଛାତ୍ରମାନଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମତାମତ ମିଳି ପାରିନାହିଁ।

