ନୂଆପଡା/ବରଗଡ଼,୨।୩ (ମକାରୁ ବେମାଲ/ପ୍ରେମାନନ୍ଦ ଖମାରୀ): ଭାରତକୁ ମାଓବାଦୀମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଡେଡ୍ ଲାଇନ୍ ମାର୍ଚ୍ଚ ୩୧ ପାଖେଇ ଆସୁଥିବାବେଳେ ଛତିଶଗଡ଼ ପୋଲିସକୁ ରବିବାର ବଡ଼ ସଫଳତା ମିଳିଛି। ବରଗଡ଼, ବଲାଙ୍ଗୀର ଓ ଛତିଶଗଡ଼ର ମହାସମୁନ୍ଦ ଡିଭିଜନାଲ କମିଟିର ୧୫ ଜଣ ମାଓବାଦୀ ମହାସମୁନ୍ଦ ଜିଲା ବୋଳଦା ଥାନାରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୯ ମହିଳା ଓ ୬ ପୁରୁଷ ମାଓବାଦୀ ରହିଛନ୍ତି। ସେମାନେ ହେଲେ ତେଲଙ୍ଗାନା ରାଜ୍ୟ ତାରଲାପଲ୍ଲୀ ଗାଁର ବିକାଶ ଓରଫ ସୁଦର୍ଶନ ଉର୍ଫଜଙ୍ଗୁ (୫୭), ଛତିଶଗଡ଼ ରାଜ୍ୟ ହିନ୍ଦୁର ଗାଁରମଙ୍ଗେଶ ଓରଫ ମେଶ ପଦ୍ଦା(୩୫), କୋହକାମଟା ଗାଁର ବାବୁ ଓରଫ ସେତୁ (୩୫), ପୋଞ୍ଜେର ଗାଁ ମନୋଜ ଓରଫ ରିଙ୍କୁ(୩୦), କୋରମା ଗାଁର ପ୍ରମିଳା ଓରଫ ପରନିତା(୩୦), ପଙ୍ଗୋଡ ଗାଁର କରୁଣା ଓରଫ ଅସ୍ମିତା(୩୦), ପୂର୍ତତୀ ଗଁାର ରୋଜା ଓରଫ ଦେବୀ ଓ ହୋଲିକା(୩୦), ଚିତାଗୁଫା ଗାଁରରୋସନୀ ଓରଫ ସୋନି ଓ ନୀଲା (୨୮), ବିଝାପୁର ଗଁାର ରାଧିକା ଓରଫ ଅସ୍ମିତା(୧୯), ପିଡିୟା ଗଁାର ମୀନା ଓରଫ ଶାନ୍ତି(୨୨), ସାବନାର ଗାଁର ଦୀପନା ଓରଫ ନାନୀ ଓ ଅମିତା(୨୦), ପୁସନାର ଗଁାର ରୀନା ଓରଫ କବିତା(୨୧), ପିଡିୟା ଗଁାର ସୋନୁ ଓରଫ ଜୁଗନୁ(୨୩), ବଡା ବଟଟୁମା ଗାଁରର ପାଣ୍ଡୁ ଓରଫ ଦିନେଶ (୨୪) ଓ କୁବିସ ଗଁାର ନୀଳା ଓରଫ ପୋଜେଓ ସବିତା (୨୨)। ଏହି ୧୫ ମାଓବାଦୀ ଓଡ଼ିଶାର ବଲାଙ୍ଗୀର,ବରଗଡ଼ ଜିଲା ଓ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଜିଲାରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିଲେ। ବରଗଡ଼, ବଲାଙ୍ଗୀର ଓ ମହାସମୁନ୍ଦ ଡିଭିଜନ କମିଟି ମୁଖ୍ୟ ବିକାଶ ରହିଥିଲେ। ତାଙ୍କ ନେତୃତ୍ୱରେ ୧୫ ଜଣ ମାଓବାଦୀ କାର୍ଯ୍ୟ କରୁଥିଲେ। ୧୫ ମାଓବାଦୀଙ୍କ ନାମରେ ମୋଟ ୭୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ବିକାଶ ତେଲଙ୍ଗାନା ରାଜ୍ୟରୁ ଆସି ରାଜ୍ୟ କମିଟି ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ନାମରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଅନ୍ୟ ୧୪ ଜଣ ଛତିଶଗଡ଼ ରାଜ୍ୟର ବିଭିନ୍ନ ଜିଲା ଓ ଗଁାର ରହିଛନ୍ତି। ସେମାନଙ୍କ ନାମରେ ମଧ୍ୟ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ରହିଥିଲା। ମଙ୍ଗେଶଙ୍କ ନାମରେ ୮ ଲକ୍ଷ, ବାବୁଙ୍କ ନାମରେ ୫ ଲକ୍ଷ ଏହିପରି ୧୫ ଜଣଙ୍କ ନାମରେ ମୋଟ ୭୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେମାନେ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ରବିବାର ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା ବଳୋଦା ଥାନାରେ ଭୋର ୪ଟାରେ ଆତ୍ମସମର୍ପଣ କରିଛନ୍ତି। ଏହା ପୂର୍ବରୁ ଗତ ୨୨ ତାରିଖରେ ଛତିଶଗଡ଼ ରାଜ୍ୟର ଗୃହମନ୍ତ୍ରୀଙ୍କଠାରେ ଆତ୍ମସମର୍ପଣ କରିବା ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରି ବରଗଡ଼ ଓ ବଲାଙ୍ଗୀର ଜିଲା ପୋଲିସଙ୍କୁ କମ୍ବିଂ ଅପରେଶନ ନ କରି ଆତ୍ମସମର୍ପଣ କରିବା ପାଇଁ ସମୟ ମାଗିଥିଲେ। ସେମାନେ ଓଡ଼ିଶାରେ କାମ କରି ଛତିଶଗଡ଼ ରାଜ୍ୟରେ ଯାଇ ଆତ୍ମସମର୍ପଣ କରିଛନ୍ତି। ବିକାଶ ୧୯୮୫ ମସିହାଠାରୁ ମାଓବାଦୀ ସଙ୍ଗଠନରେ ସାମିଲ ହୋଇ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୧୪ ଜଣ ୨୦୦୫, ୨୦୦୯, ୨୦୧୦, ୨୦୨୨ଠାରୁ କାର୍ଯ୍ୟ କରି ଆସୁଛନ୍ତି।
କେନ୍ଦ୍ର ତଥା ରାଜ୍ୟ ସରକାର ମାଓବାଦୀମୁକ୍ତ ଭାରତ ଗଠନ କରିବା ପାଇଁ ବାରମ୍ବାର ମାଓବାଦୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ବାନ କରିଛନ୍ତି।