ବିକ୍ରି ବେଳେ ମାଡିବସିଲେ ଅବକାରୀ ବିଭାଗ, ୧୫ଲକ୍ଷର ଗଞ୍ଜେଇ ଜବତ

ବଣାଇଁ, ୧୩ା୧(ପ୍ରଦୀପ ତ୍ରିପାଠୀ): ଜଙ୍ଗଲରେ ଗଞ୍ଜେଇ ଚାଷ କରି ବିକ୍ରି ବେଳେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ମାଡିବସିଲେ ଅବକାରୀ ବିଭାଗ । ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବଣାଇଁ ଓ ରାଉରକେଲା ଅବକାରୀଙ୍କୁ ନେଇ ଗଠିତ ଏକ ସ୍ଵତନ୍ତ୍ର ଟିମ ଚଢାଉ କରି ଆଜି ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ କରିଛି ।

ଅଭିଯୋଗ ଅନୁସାରେ, କୁଣ୍ଡେଇଡିହା ଗାଁରେ କିଛି ଲୋକ ଜଙ୍ଗଲ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ କରି କାଟିବା ପରେ ବିକ୍ରି ପାଇଁ ରଖିଥିଲେ । ସୂଚନା ପାଇ ରେଡ୍ କରାଯାଇଥିବା ବେଳେ ଘଟଣା ସ୍ଥଳରୁ ଦେଢ କ୍ୱିଣ୍ଟାଲ ଅବୈଧ ଗଞ୍ଜେଇ ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତ କୁଣ୍ଢେଇଡିହା ଗ୍ରାମର ରଞ୍ଜିତ ଓରାମ (୩୨) ଓ ରାଜେଶ ଓରାମ (୨୭)ଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ପଚାରାଉଚାରା ସମୟରେ ଅଭିଯୁକ୍ତମାନେ କୁଣ୍ଢେଇଡିହା ଗ୍ରାମ ସଂଲଗ୍ନ ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ କରିଥିଲେ ବୋଲି ବିଭାଗୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯେ ଚାଷ ହୋଇ ଅମଳ ହୋଇଗଲା ହେଲେ ବିଭାଗ ପାଖରେ କିପରି ସୂଚନା ନଥିଲା । ହେଲେ ବିକ୍ରି ସମୟରେ ଖବର ପାଇ ଚଢ଼ାଉ କରି ବାହଦୁରି ନେଉଥିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ପୃକ୍ତ ଅଞ୍ଚଳରେ ଆହୁରି ଅନେକ ସ୍ଥାନରେ ଗଞ୍ଜେଇ ଚାଷ ହୋଇଥିବା ସୂଚନାର ପ୍ରଶ୍ନ ଏଡ଼ାଇ ଚଢାଉ ଜାରି ରହିବ କହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

 

Dharitri – Odisha’s No.1 Odia Daily