ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପବନ, ଘଡ଼ଘଡ଼ି, ବର୍ଷା ଯୋଗୁଁ ଅନେକ ପରିବାର ସର୍ବସ୍ବାନ୍ତ ହୋଇପଡ଼ିଛି । ଆନନ୍ଦପୁର ବ୍ଲକର ଅନେକ ସ୍ଥାନରେ କାଳବୈଶାଖୀ ହୋଇଥିବା ବେଳେ ବିଶେଷ କରି କଣ୍ଟିପାଳ ପଞ୍ଚାୟତର କଣ୍ଟିପାଳ ମହାପାତ୍ର ସାହିର ୧୩ରୁ ଉର୍ଦ୍ଧ ପରିବାର ପରିବାରର ଅନେକ କ୍ଷତିଗ୍ରସ୍ତ ହୋଇଛି ।
ଦିଲ୍ଲୀପ ନାଏକ, ରଞ୍ଜନ ନାଏକ ଅଭିରାମ ନାଏକ ରାଧୁଚରଣ ନାଏକ, ସଞ୍ଜୁଲତା ନାଏକ, ବିଶ୍ୱନାଥ ନାଏକ ପ୍ରମିଳା ନାଏକ, ଅମ୍ବିକା ନାଏକ, ବାସନ୍ତୀ ବେହେରା, ପୁରସ୍ତମ ନାଏକ ଘର ଚାଳ ଛପର ଉଡ଼ାଇନେବl ସହ ଧାନ ଚାଉଳ ନଷ୍ଟ ହୋଇଯାଇଛି । ଘର ଭିତରେ ଥିବା ସମ୍ପୂର୍ଣ ଆସବାବପତ୍ର ନଷ୍ଟ ହୋଇଯାଇଛି । ସେହିପରି ବିରିଡିହା ଗ୍ରାମର ଉପର ହରିଜନ ସାହିର ନାଡ଼ି ଜେନା, ଭଜନ ଜେନା, ଜାନକୀ ଜେନା, କୃଷ୍ଣଚନ୍ଦ୍ର ବାରିକ, ସୁଦର୍ଶନ ସାହୁଙ୍କ ଘର ଚାଳ ଛପର ଉଡେଇ ନେଇଯାଇଥିବା ସହ ଘର କାନ୍ଥ ପଡିଯାଇଛି । ସେହିପରି ବାରୁଆଁ ମୁଣ୍ଡା ସାହିର ଲକେ ହୋଙ୍କ ଘର ସମ୍ପୂର୍ଣ ଭାଙ୍ଗି ଦେଇଥିବା ବେଳେ ପରିବାର ଲୋକେ ପୁରା ସର୍ବସ୍ୱାନ୍ତ ହୋଇ ପଡିଛନ୍ତି ।
ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସହାୟତା ନିମନ୍ତେ ନିବେଦନ କରିଛନ୍ତି । ଏ ବିଷୟରେ ଆନନ୍ଦପୁର ତହସିଲଦାର ପଲ୍ଲଭି ପ୍ରିୟଦର୍ଶନୀଙ୍କୁ ଯୋଗାଯୋଗ କରିବା ପରେ ସେ କହିଛନ୍ତି ସ୍ଥାନୀୟ RIଙ୍କୁ ଆମେ ଜଣାଇଛୁ, ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବୁ । ଅନ୍ୟ ପକ୍ଷରେ ପରିବାରଙ୍କୁ ସରକାର ତରଫରୁ ସହାୟତା ଦେବାସହ ଆବାସ ଯୋଜନାରେ ଅନର୍ଭୁକ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।