ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା ଦେଖିବାକୁ ମିଳିଛି। ଜଙ୍ଗଲର ଅତି ନିକଟରେ ଘର କରି ରହୁଥିବା ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି।
ସୂଚନା ଅନୁସାରେ, ସକାଳୁ ଗ୍ରାମବାସୀ ହାତୀପଲ ଦେଖି ଭୟଭୀତ ହୋଇ ବନବିଭାଗକୁ ସୂଚନା ଦେଇଥିଲେ। ଖବରପାଇ ସ୍ଥାନୀୟ ବନଖଣ୍ଡ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ, ମନୋଜ କୁମାର ମହାପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ବିଭାଗ ପକ୍ଷରୁ ହାତୀପଲ ଉପରେ ବନ କର୍ମଚାରୀ ଉପସ୍ଥିତ ରହି ତୀକ୍ଷ୍ଣ ଦୃଷ୍ଟି ରଖିଥିବା ବେଳେ ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ବାଇବାଲି ଜଙ୍ଗଲରୁ ଆସିଥିବା ନେଇ ବନ ଅଧିକାରୀ ସୂଚନା ଦେଇଛନ୍ତି। ହାତୀପଲ ସମ୍ମୁଖକୁ ନ ଯିବା ସହ ସେମାନଙ୍କୁ ବିରକ୍ତ ନ କରିବା ପାଇଁ ବନବିଭାଗ ତରଫରୁ ଗ୍ରାମବାସୀଙ୍କୁ ଅନୁରୋଧ କରିବା ସହ ସତର୍କ ରହିବା, ଜଙ୍ଗଲକୁ ଯିବା ପାଇଁ ବାରଣ କରାଯାଇଛି। ବର୍ତ୍ତମାନ ମଧ୍ୟ ହାତୀପଲ ସେହି ଜଙ୍ଗଲରେ ରହିଥିବା ବେଳେ ବନ କର୍ମଚାରୀ ମଧ୍ୟ ହାତୀପଲର ଗତିବିଧି ଉପରେ ନଜର ରଖିଥିବା କହିଛନ୍ତିି। ବିଗତ କିଛି ମାସ ପୂର୍ବରୁ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଊର୍ଦ୍ଧ୍ୱ ଗାଈ, ଛେଳିଙ୍କ ମତ୍ୟୁ ଘଟିଥିଲା। ଯାହାକୁ ନେଇ ସାଧାରଣରେ ଭୟର ବାତାବରଣ ରହିଥିବା ବେଳେ ଏବେ ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ ଦେଖି ଭୟରେ ଥିବା ଗ୍ରାମବାସୀ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ବନବିଭାଗକୁ ନିବେଦନ କରିଛନ୍ତି।
Dharitri – Odisha’s No.1 Odia Daily