ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ ଗଜପତି ପୋଲିସ ପକ୍ଷରୁ ପାଖାପାଖି ୧୦ ଟନ ଗଞ୍ଜେଇ ଜବତ ହୋଇ ସାରିଲାଣି। ତଥାପି ଗଞ୍ଜେଇ ମାଫିଆମାନେ ନୂଆନୂଆ ତରିକା ଆପଣାଇବାରେ ଲାଗିଛନ୍ତି। ଏଥର ଘର କିମ୍ବା ନିଜ ବାଡିରେ ରଖୁନାହାନ୍ତି ବରଂ ଗଞ୍ଜେଇ ମାଫିଆମାନେ ପୋଲିସକୁ ଭୁଆଁ ବୁଲାଇବା ପାଇଁ ସଂରକ୍ଷିତ ଜଙ୍ଗଲରେ ଜରି ପାଲ ଘୋଡ଼ାଇ ସୁରକ୍ଷିତ ଭାବେ ରଖି ଚୋରାଚାଲାଣ କରୁଛନ୍ତି। ଯାହା ଫଳରେ ଆର୍ ଉଦୟଗିରୀ ଏସଡ଼ିପିଓ ରାକେଶ କୁମାର ସାହୁଙ୍କୁ ବିଶେଷ ସୁତ୍ରରୁ ଖବର ମିଳିଥିଲା। ଯାହାକୁ ନେଇ ଆଜି ଆର୍ ଉଦୟଗିରୀ ଏସଡ଼ିପିଓଙ୍କ ତତ୍ତ୍ୱାବଧାନରେ ଅଡବା ପୋଲିସ ଓ ରାମଗିରି ପୋଲିସ ପକ୍ଷରୁ ୧୦ ଗୋଟି ସତନ୍ତ୍ର ଟିମ ଗଠନ କରାଯାଇଥିଲା। ଉକ୍ତ ଟିମ ଗଠନ କରି ରାଇପଙ୍କା ଗ୍ରାମ ପଞ୍ଚାୟତ କାରିଗେଜୁ ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ୧୧୩ ବସ୍ତା ଗଞ୍ଜେଇ ବାହାରିଥିଲା। ଉକ୍ତ ଜବତ ଗଞ୍ଜେଇକୁ ମେଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରଯାଇଥିଲା ଯାହାର ପରିମାଣ ୨୮ କୁଇଣ୍ଟାଲରୁ ଅଧିକ ହୋଇଥିଲା। ତେବେ ଗଞ୍ଜେଇର ଆନୁମାନିକ ବଜାର ଦର ୩ କୋଟି ଟଙ୍କା ହେବ ବୋଲି ଆର୍ ଉଦୟଗିରୀ ଏସଡ଼ିପିଓ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି। ଏନେଇ ଅଡବା ଥାନା ରେ ୭୦/୨୬ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅନ୍ୟପଟେ ଏହି ଗଞ୍ଜେଇ ଚୋରା ଚାଲାଣରେ କିଏ କିଏ ସଂଶ୍ଳିଷ୍ଟ ଅଛନ୍ତି ତାହା ମଧ୍ୟ ତଦନ୍ତ ଜାରି ରହିଥିବା ଆର୍ ଉଦୟଗିରୀ ଏସଡ଼ିପିଓ ରାକେଶ କୁମାର ସାହୁ ପ୍ରେସମିଟ କରି ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା, ଶବ ଇନ୍ସପେକ୍ଟର ନଳିନୀ କୁମାରୀ କଅଁର, ସୌମ୍ୟ ରଞ୍ଜନ ବରାଳଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।
Dharitri – Odisha’s No.1 Odia Daily

