ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି ପଡିବାରୁ ଧାନ ପୁଞ୍ଜି (ଗଦା) ଜଳିଯାଇଛି । ୪ ଜଣ ଚାଷୀଙ୍କର ୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା କ୍ଷତି ହୋଇଥିବା ନେଇ ଆକଳନ କରାଯାଉଛି ।
ତାଳପଦା ଗ୍ରାମର ଶମ୍ବୁନାଥ ବାରିକ, ସୁଶାନ୍ତ ଦାସ, ପିତାମ୍ବର ବାରିକ, ଯଦୁନାଥ ମଳିକଙ୍କ ବିଲ ଉପର ଦେଇ ଇଲେଭେନ କେଭି ବିଦ୍ୟୁତ ତାର ଟଣାଯାଇଥିଲା । ଦୀର୍ଘଦିନ ହୋଇଯାଇଥିଲେ ସୁଦ୍ଧା ତାର ମରାମତି କିମ୍ବା ବଦଳା ଯାଇ ନାହିଁ। ଯାହା ଫଳରେ କି କମଜୋର ହୋଇପଡିଥିବା ତାର ଶୁକ୍ରବାର ବିଳମ୍ବିତ ରାତିରେ ପବନ ହେବା ଯୋଗୁଁ ଧାନଗଦାରେ ପଡିଯାଇଥିଲା । ଫଳରେ ଗ୍ରାମର ୪ ଜଣ ଚାଷୀଙ୍କ ୫ ଏକର ଜମିରେ ଥିବା ଧାନ କଳେଇ ସବୁ ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଧାନ କ୍ଷୟ କ୍ଷତି ହୋଇଛି ।
ସକାଳେ ଲୋକମାନେ ଦେଖି ନଷ୍ଟ ହୋଇଥିବା ଚାଷୀଙ୍କୁ ଖବର ଦେଇଥିଲେ। ସମ୍ପୃକ୍ତ ଚାଷୀ ବିଲରେ ପହଁଛି ଦମକଳକୁ ଖବର ଦେଇଥିଲେ। ଖବର ପାଇଁ ଷଠୀ ସ୍ଥିତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଛି ଅବଶିଷ୍ଟ ନିଆଁକୁ ଆୟତ କରିଥିଲେ। ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ଆଜି ୪ଜଣ ଚାଷୀଙ୍କ ସର୍ବସ୍ୱ ନଷ୍ଟ ହୋଇଯାଇ ଥିବା ଲୋକମାନେ ଅଭିଯୋଗ କରିଛନ୍ତି।


