ଦାରିଙ୍ଗବାଡି, ୩।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଅଧୀନ ସାମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରୁ ମଙ୍ଗଳବାର ମଧ୍ୟାହ୍ନ ରୁ ୧୦ ଜଣ ଛାତ୍ର ହଷ୍ଟେଲ ଛାଡି କେଉଁଆଡେ ପଳାଇଥିବା ଅଭିଯୋଗ ହୋଇଛି। ଅଭିଭାବକ ମାନେ ସାମନବାଡି ଛାତ୍ରାବାସରେ ପହଞ୍ଚି ତାଙ୍କ ପିଲାଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି।
ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ରହିଛି। ମଙ୍ଗଳବାର ଦୋଳ ପୂର୍ଣ୍ଣିମା ଛୁଟି ରହିଥିବାରୁ ଛାତ୍ରାବାସରେ କୌଣସି ଶିକ୍ଷକ କିମ୍ବା ଆଟେଣ୍ଡାଣ୍ଟ ଉପସ୍ଥିତ ନ ଥିଲେ। ଛାତ୍ରମାନେ ଏହାର ସୁଯୋଗ ନେଇ ବିଦ୍ୟାଳୟ ପାଚେରୀ ଡେଇଁ ବାହାରକୁ ପଳାଇଥିବା ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ସହିଦ ପ୍ରଧାନଙ୍କ ମା’ ରିନା ପ୍ରଧାନ ଅଭିଯୋଗ କରିଛନ୍ତି। ଖବର ଲେଖିବା ସୁଦ୍ଧା ଛାତ୍ରମାନଙ୍କ କୌଣସି ସନ୍ଧାନ ମିଳି ନ ଥିବା ଛାତ୍ରଙ୍କ ସମ୍ପର୍କୀୟ ସୁଶାନ୍ତ ପ୍ରଧାନ ଏବଂ ସଫିର ପ୍ରଧାନ କହିଛନ୍ତି। ଅଭିଭାବକମାନେ ସାମନବାଡି ଛାତ୍ରାବାସରେ ପହଞ୍ଚି ପିଲାଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି।
ଏବେ ପୋଲିସର ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁକୁ ଖୋଜିବା ପାଇଁ ସୁରକ୍ଷା ବାହିନୀ ଜଙ୍ଗଲରେ କମ୍ବିଂ ଅପରେଶନ କରୁଥିବା ବେଳେ ଛାତ୍ରମାନେ ବିଦ୍ୟାଳୟ ହଷ୍ଟେଲ ପାଚେରୀ ଡେଇଁ ଜଙ୍ଗଲ ଆଡକୁ ପଳାଇଥିବା ପରିବାରଲୋକେ ସନ୍ଦେହ କରିଛନ୍ତି। ସାମନବାଡି ଗ୍ରାମ ଚାରିପାଖେ ଜଙ୍ଗଲ ରହିଥିବାରୁ ଅଭିଭାବକ ମହଲରେ ଚିନ୍ତା ବଢିଛି। ଅନ୍ଧାର ଯେତେ ହେଉଛି ସେତିକି ଅଭିଭାବକ ଚିନ୍ତିତ ହୋଇ ପଡ଼ିଛନ୍ତି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଲିଙ୍ଗା ପ୍ରଧାନଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୋବାଇଲ ସୁଇଚ୍ ଅଫ ଯୋଗୁ କୌଣସି ଉତ୍ତର ମିଳିପାରିନାହିଁ। ଏନେଇ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କୁ ଯୋଗାଯୋଗ କରାଯିବାରୁ ସେ ଛୁଟି ରେ ରହିଛନ୍ତି ଘଟଣା ଏବେ ଶୁଣିଲେ। ନିଶ୍ଚିତ ତଦନ୍ତ କରିବି ବୋଲି କହିଛନ୍ତି।
Dharitri – Odisha’s No.1 Odia Daily