FILE PHOTO: Gold granulate is seen at a plant of gold refiner and bar manufacturer Valcambi SA in the southern Swiss town of Balerna December 20, 2012. REUTERS/Michael Buholzer/File Photo
ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ୮ଟି ଜିଲାରେ ସୁନାର ସନ୍ଧାନ ମିଳିଛି। ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନାକୁ ଆଧାରକରି ରାଜ୍ୟ ସରକାର ଏହି ତଥ୍ୟ ସୋମବାର ବିଧାନସଭାରେ ରଖିଛନ୍ତି। ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଅନୁଗୋଳ ଏବଂ ବୌଦ୍ଧରେ ସୁନା ଥିବାର ସୂଚନା ମିଳିଛି।
କେନ୍ଦୁଝର ଜିଲାର ସଲେଇକଣା, ଡିମିରିମୁଣ୍ଡା, କାରଡଙ୍ଗା, ଗୋପୁର, ଗଜାଇପୁର, କୁଶକଲା ଏବଂ ଅଦଲାରେ ସୁନାର ସନ୍ଧାନ ମିଳିଛି। ମୟୂରଭଞ୍ଜର ଯଶୀପୁର, ସୁରେଇଗୁଡା, ରୁଆସିଁ, ଇଡେଲାକୁଚ, ମରେଦିହି, ସୁରେଇପାଟ ପର୍ବତ ଏବଂ ବାଦାମ ପାହାଡ଼ରେ ସୁନା ଥିବା କୁହାଯାଇଛି। ସୁନ୍ଦରଗଡ଼ର ଦିଗଝରଣ, ମାଳଦିହି, ଗୋଗର ଏବଂ ଗିରିଙ୍ଗାକେଲାରେ ସୁନାର ସନ୍ଧାନ ମିଳିଛି। ନବରଙ୍ଗପୁରର କାରକା, କୋରାପୁଟର ରଙ୍ଗପାଟଣା, ଗରିଆ, ଦଶମନ୍ତପୁର, କୋଲାରୁ ଅଞ୍ଚଳ ଏବଂ କୋଲାବ ନଦୀର ତଟବର୍ତ୍ତୀ ଅଞ୍ଚଳରୁ ସୁନାର ସନ୍ଧାନ ମିଳିଛି। ମାଲକାନଗିରିର ସୁନାପଦର, କ୍ୟାଙ୍ଗ୍ ଏବଂ ଗୋବିନ୍ଦପାଲି, ଅନୁଗୋଳର ଟିକିରା, ସାମକୋଇର ଉପତ୍ୟକା ଏବଂ ବୌଦ୍ଧ ଜିଲାର ମହାନଦୀ ଉପତ୍ୟକାରେ ସୁନାର ସନ୍ଧାନ କରାଯାଇଥିବା ଜଣାପଡିଛି। ସର୍ଭେ ସମୟରେ ଜଣାପଡ଼ିଛି ଯେ, ବ୍ୟାପକ ଅଞ୍ଚଳରେ କ୍ଷୁଦ୍ର ସୁନାଖଣି ରହିଥିବାରୁ ସେଥିରୁ ଏହି ହଳଦିଆ ବସ୍ତୁ ଉତ୍ତୋଳନ କରିବା ଆର୍ଥତ୍କ ଦୃଷ୍ଟିରୁ ଲାଭଦାୟକ ହେବନାହିଁ। ତେଣୁ ସରକାର ଏଯାଏ ସୁନାଖଣି ଖୋଳିବା ନେଇ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ମନ୍ତ୍ରୀ ମଲିକ କହିଛନ୍ତି।