୮ରେ ଧର୍ମଘଟ ପାଇଁ ସିଟୁର ଆହ୍ବାନ

ବାଲିଆ,୨୬ା୧୨: ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ଓ ସିଟୁ ଜିଲା କମିଟି ତରଫରୁ ବିରିଡି ବ୍ଲକର ଧ୍ୟାନକୁଦଠାରେ ଏକ ଖବରଦାତା ସମ୍ମିଳନୀ କରାଯାଇଛି। ଏଥିରେ ଶ୍ରମିକ ସ୍ବାର୍ଥ ବିରୋଧୀ ଭାଜପା ସରକାରଙ୍କୁ ଦୃଢ ଜବାବ ଦେବା ଉଦ୍ଦେଶ୍ୟରେ ଜାନୁୟାରୀ ୮ରେ ସାଧାରଣ ଧର୍ମଘଟ କରାଯିବ ବୋଲି ଆହ୍ବାନ ଦିଆଯାଇଛି। ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ରାଜ୍ୟ ଉପସଭାପତି ତଥା ଜଗତସିଂହପୁର ଜିଲା ସଭାପତି ଲୋଭାକାନ୍ତ ସ୍ବାଇଁ ଏହାର ନେତୃତ୍ୱ ନେବା ସହ ବକ୍ତବ୍ୟରେ କହିଥିଲେ, ଭାଜପା ସରକାର କ୍ଷମତାସୀନ ହେବା ଦିନଠାରୁ ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ନ ମାନି ଏକ ମୌଳବାଦି ରାଷ୍ଟ୍ରରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ସରକାର ନିକଟରେ ନାଗରିକ ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜୀକରଣ ଆଇନ (ଏନଆରସି) ପରିବର୍ତ୍ତନ କରିବା ଦ୍ୱାରା ବୁଦ୍ଧିଜୀବୀ, ଛାତ୍ର, ଯୁବକ ଓ ସାଧାରଣ ଜନତା ଏହାର ପ୍ରତିବାଦ କରୁଛନ୍ତି। ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ପରିବର୍ତ୍ତନ କରିବା ଦ୍ୱାରା ନିର୍ମାଣ ଶ୍ରମିକ, କଳକାରଖାନର ଶ୍ରମିକ, ଅସଂଗଠିତ ଶ୍ରମିକ ହାସଲ କରିଥିବା ଅଧିକାରଗୁଡିକୁ ସେମାନେ ହରାଇବାକୁ ଯାଉଛନ୍ତି।
ବର୍ତ୍ତମାନ ଦେଶବାସୀ ଆକାଶ ଛୁଆଁ ଦରଦାମ ବୃଦ୍ଧିରେ ପେଶି ହେଉଥିବାବେଳେ କୋଟିକୋଟି ଯୁବକ କର୍ମ ସଂସ୍ଥାନ ନ ପାଇ ବେକାର ଜୀବନ ବିତାଉଛନ୍ତି। ତେଣୁ ଏସବୁ ଶ୍ରମିକ ସ୍ବାର୍ଥ ବିରୋଧୀ ହୋଇଥିବାରୁ ଶ୍ରମିକ ୟୁନିୟନ ସାଧରଣ ଧର୍ମଘଟକୁ ଓଲ୍ଲାଇବା ସହ ମାସକୁ ମଜୁରୀ ୨୧ ହଜାର, ସର୍ବନିମ୍ନ ପେନସନ ୧୦ହଜାର, ଶ୍ରମ ଆଇନ ସଂଶୋଧନ ବାତିଲ କରିବା, ସ୍କିମରେ କାମ କରୁଥିବା ଆଶା ଓ ପାଚିକାଙ୍କୁ ଶ୍ରମିକର ମାନ୍ୟତା ସହିତ ସର୍ବନିମ୍ନ ମଜୁରୀ ପ୍ରଦାନ ଦାବି ଉପସ୍ଥାପନ କରିବ ବୋଲି ସୂଚନା ଦିଆଯାଇଛି। ଧର୍ମଘଟରେ ସବୁସ୍ତରର ଶ୍ରମିକ ଯୋଗଦେବା ପାଇଁ ଆହ୍ବାନ ଦିଆଯାଇଥିଲା। ଶ୍ରମିକ ନେତା ବସନ୍ତ କୁମାର ମାଝି, ଯୁଧିଷ୍ଟିର ଦାସ, ଗଣେଶ ଚନ୍ଦ୍ର ମାଣିଆ, ବାମଦେବ ସ୍ବାଇଁ, ଭାସ୍କର ନାୟକ, ବିଜୟ କୁମାର ଭୂୟାଁ, ନିର୍ମାଣ ଶ୍ରମିକ ଜିଲା ସମ୍ପାଦକ ବେଣୁଧର ବାରିକ, ଶମିକ ନେତା ନଟବର ପଲେଇ, ଯୁଗ୍ମ ସମ୍ପାଦକ ଶରତ ବେହେରା, ଆଶାନେତ୍ରୀ ଲକ୍ଷ୍ମିପ୍ରିୟା ମହାପାତ୍ର, କୁନିଲତା ମଲ୍ଲ ପ୍ରମୁଖ ଯୋଗଦେଇ ମତପ୍ରକାଶ କରିଥିଲେ।