Heavy rain at Mahim on Wednesday. Express photo by Nirmal Harindran, 4th September 2019, Mumbai.
ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ରାଜ୍ୟରେ ପୁଣି ହୋଇପାରେ ବର୍ଷା। ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨-୩ ଦିନ ମଧ୍ୟରେ ଡିପ୍ରେଶନ୍ରେ ପରିଣତ ହେବ। ଆସନ୍ତା ୬ କିମ୍ବା ୭ ତାରିଖ ବେଳକୁ ଆକାଶ ମେଘାଚ୍ଛନ୍ନ ରହିବ । ସେହିପରି ୮ କିମ୍ବା ୯ ତାରିଖ ବେଳକୁ ବର୍ଷା ଓ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଏହାସହ ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ପ୍ରାୟ ୫୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଉଛି। ସେପଟେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଯଦି ଠିକ୍ ହୁଏ ତାହେଲେ ଡିପ୍ ଡିପ୍ରେଶନ୍ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ଇଣ୍ଡିଆନ୍ ନ୍ୟାଶନାଲ୍ ସେଣ୍ଟର ଫର୍ ଓସେନ୍ ଇନଫରମେଶନ୍ ସର୍ଭିସ୍ ପକ୍ଷରୁ ଜାରି ହୋଇଥିବା ଏକ ଚିତ୍ରରେ ସମ୍ଭାବ୍ୟ ବାତ୍ୟା ନଭେମ୍ବର ୧୦ କିମ୍ବା ୧୧ ବେଳକୁ ଜଗତ୍ସିଂହପୁରରୁ କେନ୍ଦ୍ରାପଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି। ସମ୍ଭାବ୍ୟ ବାତ୍ୟା ନେଇ ଏଯାଏ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଆସନ୍ତା ସପ୍ତାହ ଶେଷ ଭାଗରେ ବର୍ଷା ସମ୍ଭାବନା ଥିବା କୁହାଯାଇଛି। ଏପଟେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ଖବର ଶୁଣିବା ପରେ ଚାଷୀମାନେ ଚିନ୍ତାରେ ପଡ଼ିଲେଣି। କାରଣ ଏବେ ଧାନ ଅମଳର ସମୟ ଥିବାବେଳେ ବର୍ଷା ଭୟରେ କିଛି ସ୍ଥାନରେ ତରବରିଆ ଭାବେ ଚାଷୀ ବିଲରୁ ଧାନ କାଟି ନେଉଛନ୍ତି। ସେପଟେ କୃଷି ବିଭାଗ କହିଛି ପାଣିପାଗ ବିଭାଗର ସୂଚନା ଆଧାରରେ ଆଡ୍ଭାଇଜରି ଜାରି କରାଯିବ।