Heavy rain at Mahim on Wednesday. Express photo by Nirmal Harindran, 4th September 2019, Mumbai.
ଭୁବନେଶ୍ୱର,୧୩ା୯(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାଛଡା ଝାଡଖଣ୍ଡ ଏବଂ ଓଡିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ଅନୁଗୋଳ, ଦେବଗଡ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି। ତେବେ ଏହି ସମୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, କୋରାପୁଟ, ବରଗଡ, ବଲାଙ୍ଗୀର, ସୋନପୁର ଏବଂ ଖୋର୍ଦ୍ଧା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧୪ ତାରିଖ ଯାଏ ପଶ୍ଚିମ ଏବଂ ଉତ୍ତର ଓଡିଶାରେ ବର୍ଷା ପରିମାଣ ବୃଦ୍ଧିପାଇବ ା ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡାରେ ସର୍ବାଧିକ ୧୩୪.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୪୩.୮, ପାରାଦୀପ ୧୪.୮, ବାରିପଦା ୪୧.୬, ଭୁବନେଶ୍ୱର ୪୦.୮, ସମ୍ବଲପୁର ୩୯.୯, ସୁନ୍ଦରଗଡ ୧୦୦, ହୀରାକୁଦ ୪୧.୩, ତାଳଚେର ୧୯, ଚାନ୍ଦବାଲି ୧୭.୪, ବଲାଙ୍ଗୀର ୨୮ ଏବଂ କୋରାପୁଟରେ ୧୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।