Inside pictures of Puri Jagannath Temple go viral again
ପୁରୀ ଅଫିସ, ୫।୭: ଆସନ୍ତା ୬ତାରିଖରେ ଗର୍ଭଗୃହ ଯାଞ୍ଚ କରାଯିବ। ଏଥିପାଇଁ ଶୁକ୍ରବାର ଗର୍ଭଗୃହରେ ଭାରା ବନ୍ଧାଯିବ। ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଇଞ୍ଜିନିୟର, ପୂର୍ତ୍ତ ବିଭାଗ ଏବଂ ଏଏସ୍ଆଇର ବରିଷ୍ଠ ଅଧିକାରୀମାନେ ଗର୍ଭଗୃହ ଅନୁଧ୍ୟାନ କରିବେ। ଜଗମୋହନ ମରାମତି ବେଳେ ପୋର୍ଟାଲ ଫ୍ରେମ୍ ସ୍ଥାପନ କରାଯାଇଛି। ଏଥିରେ ଯେଉଁ ଲୋଡ୍ସେଲ୍ ଲାଗିଛି ତାହାର ମନିଟରିଂ ଅନୁଧ୍ୟାନ କରାଯିବ। ନାଟମଣ୍ଡପ ଗରୁଡ଼ ସ୍ତମ୍ଭ ସମ୍ମୁଖ ଯେଉଁ ବିମ୍ରେ ଫାଟ ହୋଇଥିଲା ସେଠାରେ ସେନ୍ସର ଲଗାଯାଇଛି। ତାହାର ସ୍ଥିତି କେମିତି ଅଛି ତାହା ଯାଞ୍ଚ ହେବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ ପରାମର୍ଶଦାତା କମିଟି ସଦସ୍ୟ ଡ. ଏନ୍.ସି. ପାଲ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡ. ପାଲ୍ କହିଛନ୍ତି, ଗର୍ଭଗୃହର ପ୍ରଥମ ମହଲା ଏବଂ ଦ୍ୱିତୀୟ ମହଲା ଯାଞ୍ଚ ହେବ। ପ୍ରତିବର୍ଷ ଏହି ଯାଞ୍ଚ କରାଯାଏ। ଏଥର ଗର୍ଭଗୃହ ବାୟୁ ସଞ୍ଚାଳନ ବ୍ୟବସ୍ଥାର ମଧ୍ୟ ଯାଞ୍ଚ ହେବ। ଦରକାର ପଡ଼ିଲେ ଏହାର ଆବଶ୍ୟକ ମରାମତି କରାଯିବ । ମହାପ୍ରଭୁ ରହୁ ନ ଥିବା ଏହି ୯ ଦିନ ଶ୍ରୀମନ୍ଦିର ରୋଷଘର କାମ ହେବ। ଭୋଗ ମଣ୍ଡପ ଚଟାଣର ଯେଉଁ ପଥର ନଷ୍ଟ ହୋଇଛି ତାହାର ପରିବର୍ତ୍ତନ କରାଯିବ। ଏଥିସହ ଛୋଟ ଧରଣର ଆବଡ଼ା ଖାବଡ଼ା ହୋଇଛି ତାହାର କେମିକାଲ ଫିଲିଂ କରାଯିବ। ମୋଟାମୋଟି ଏହି ୯ ଦିନ ମଧ୍ୟରେ ଶ୍ରୀମନ୍ଦିରରେ କଣ କଣ କାମ ହେବ ତାହାର ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି । ସେହି ଅନୁଯାୟୀ କାମ କରାଯିବ ବୋଲି ପାଲ୍ କହିଛନ୍ତି।