Posted inରାଜ୍ୟ

୫ ମିଟର ଯାଏ ଉଠିବ ସମୁଦ୍ର ଢେଉ

ଭୁବନେଶ୍ୱର,୧ା୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅତି ଭୟଙ୍କର ସାମୁଦ୍ରିକ ଝଡ଼ (ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ରେ ପରିଣତ ହୋଇଛି। ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ଼ ମଙ୍ଗଳବାର ମଧ୍ୟରାତ୍ରି ସୁଦ୍ଧା ପୁରୀଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୭୦୦ କିଲୋମିଟର ଏବଂ ଦକ୍ଷିଣ ଦକ୍ଷିଣ ପୂର୍ବ ବିଶାଖାପାଟଣା ଠାରୁ ୫୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଶକ୍ତିଶାଳୀ (ଏକ୍ସଟ୍ରିମ୍‌ଲି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ହୋଇ ମହାବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆସନ୍ତା ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ। ଏହା ପରେ ଦିଗ ପରିବର୍ତ୍ତନ କରି ଉତ୍ତର ପୂର୍ବ ଆଡ଼କୁ ମୁହାଁଇବ। ଆସନ୍ତା ୩ ତାରିଖ ମଧ୍ୟାହ୍ନ

କିମ୍ବା ସନ୍ଧ୍ୟା ସୁଦ୍ଧା ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଉଦୟଗିରି ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ବେଳେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ଏବଂ ବେଳେବେଳେ ୨୦୫ କିଲୋମିଟର ହେବ ବୋଲି ପୂର୍ବାନୁମାନ କରାଯାଇଛି। ବାତ୍ୟା ପ୍ରକୋପରେ ଉପକୂଳ ଅଞ୍ଚଳ ଛାର୍‌ଖାର ହୋଇଯିବାର ସମ୍ଭାବନା ରହିଛି। ପ୍ରବଳ ପବନ ସାଙ୍ଗକୁ ବର୍ଷା ତାଣ୍ଡବ ରଚାଇବ। ବଡ଼ ବଡ଼ ଗଛ, ବିଦ୍ୟୁତ୍‌ ଖୁଣ୍ଟ, ଚାଳଘର ଉଡ଼ାଇ ନେବାର ସମ୍ଭାବନା ରହିଛି। ଏପରି କି ସମୁଦ୍ର ଢେଉ ଦେଢ଼ ମିଟରଠାରୁ ୫ ମିଟର ଯାଏ ଉପରକୁ ଉଠିବ। ସମୁଦ୍ର ପାଣି ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଉପକୂଳକୁ ଧସେଇ ପଶିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।
ବାତ୍ୟାର ପ୍ରଭାବରେ ୨ ତାରିଖ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖରେ ଉପକୂଳବର୍ତ୍ତୀ ଜିଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଜପତି, ନୟାଗଡ଼ ଜିଲାରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ୧୮୦ରୁ ୨୦୦ ମିଲିମିଟର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ତେବେ ବାତ୍ୟା ଯୋଗୁ ପୁରୀ, ଗଞ୍ଜାମ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାରେ ପ୍ରବଳ କ୍ଷୟକ୍ଷତି କରିବା ସମ୍ଭାବନା ରହିଛି।
ସମୁଦ୍ରକୂଳ କିମ୍ବା ତଳୁଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରା ନ ଗଲେ ବହୁ ମୃତାହତ ହେବା ଆଶଙ୍କାକୁ ଏଡ଼ାଯାଇ ନ ପାରେ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କରାଇଛନ୍ତି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୧ ତାରିଖରୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ଗଭୀର ସମୁଦ୍ରରେ ଅଛନ୍ତି, ତୁରନ୍ତ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ୨ ହେଲିକପ୍ଟର ମାଗିଛନ୍ତି । ମଙ୍ଗଳବାର ଅପରାହ୍ନରେ ସଚିବାଳୟଠାରେ ଅନୁଷ୍ଠିତ ବାତ୍ୟା ପ୍ରସ୍ତୁତି ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ନୌସେନାକୁ ହାଇ ଆଲର୍ଟରେ ରଖାଯାଇଛି। ବିଶାଖାପାଟଣା ଏବଂ ଚେନ୍ନାଇଠାରେ ନୌସେନା ଜାହାଜ ପ୍ରସ୍ତୁତ ହୋଇରହିଛି। ତାମିଲନାଡୁ, ପୁଡୁଚେରୀରେ ଫ୍ଲାଗ ଅଫିସର ଓ ଆନ୍ଧ୍ର ଏବଂ ଓଡ଼ିଶାରେ ଭାରପ୍ରାପ୍ତ ନୌସେନା ପଦାଧିକାରୀମାନେ ଆବଶ୍ୟକ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଏଥିସହିତ ଓଡ୍ରାଫ, ଏନ୍‌ଡିଆରଏଫ୍‌, ଅଗ୍ନିଶମ ବାହିନୀକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଉପକୂଳ ଜିଲାଗୁଡ଼ିକର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମୁଦ୍ରକୂଳରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ, ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳମାନେ ନିଜ ନିଜ ସ୍ତରରେ ବାତ୍ୟାକୁ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
ଆଇଏମ୍‌ଡିର ଅନୁମାନ ଅନୁଯାୟୀ ‘ଫନୀ’ ଓଡ଼ିଶା ଉପକୁଳ ଦେଇ ଗତି କରିବ। ଅନ୍ୟପକ୍ଷରେ ଆମେରିକା ନୌସେନା ଅନୁମାନ କହେ, ଏହା ଓଡ଼ିଶା ଉପକୁଳ ଛୁଇଁବାର କୌଣସି ଦିଗ ଦେଖାଉନାହିଁ।
ବାତ୍ୟା ଆଗରୁ ଓଡ଼ିଶାକୁ ୩୪୦ କୋଟି ସହାୟତା
ଭୁବନେଶ୍ୱର,୩୦ା୪(ବ୍ୟୁରୋ)- ସାମୁଦ୍ରିକ ଝଡ଼ ‘ଫନୀ’କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବିତ ହେବା ଆଶଙ୍କା କରି କେନ୍ଦ୍ର ସରକାର ଓଡ଼ିଶା ସମେତ ଆନ୍ଧ୍ର, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ)କୁ ୧୦୮୬ କୋଟି ଟଙ୍କା ଆଗୁଆ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି(ଏନସିଏମସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେଥିରୁ ଓଡ଼ିଶାକୁ ୩୪୦.୮୭୫ କୋଟି ଟଙ୍କା ସହାୟତା ରାଶି ଦେବାକୁ ନିଷ୍ପତ୍ତି ହୋଇଥିବାବେଳେ ଆନ୍ଧ୍ରକୁ ୨୦୦.୨୫ କୋଟି, ତାମିଲନାଡୁକୁ ୩୦୯.୩୭୫ ଏବଂ ପଶ୍ଚିମବଙ୍ଗକୁ ୨୩୫.୫୦ କୋଟି ଟଙ୍କା ରାଜ୍ୟ ଏସ୍‌ଡିଆରଏଫ୍‌କୁ ପ୍ରଦାନ କରାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ରିଲିଫ, ଉଦ୍ଧାର ଓ ଥଇଥାନ କାର୍ଯ୍ୟ ପାଇଁ ଏହି ଅର୍ଥକୁ ରାଜ୍ୟଗୁଡ଼ିକ ବିନିଯୋଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri