୪ ଶିକାରୀ ଗିରଫ: ବନ୍ଧୁକ ସହ ବିସ୍ଫୋରକ ଜବତ

ସଜନାଗଡ଼, ୧୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ଅଧୀନ ଋଷିଆ ଡ୍ୟାମ୍‌ ନିକଟରେ ଶୁକ୍ରବାର ବନବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରି ୪ଜଣ ଶିକାରୀଙ୍କୁ ଗିରଫ କରିଛି। ଆଗକୁ ରଜ ଥିବାରୁ ଶିକାରୀମାନେ ଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିବା ବେଳେ ବନବିଭାଗ ହାବୁଡ଼ରେ ପଡ଼ିଛନ୍ତି। ଗିରଫ ଶିକାରୀମାନେ ହେଲେ ବରହମ୍‌ପୁର ଥାନା କେସିପୁର ପଞ୍ଚାୟତ ଅଧୀନ ଭେଜିଗୋଠ ଗ୍ରାମର ରାମ ସିଂ, ବୁଦୁଡାହି ଗ୍ରାମର ଜେନା ସିଂ, ସମା ସିଂ ଏବଂ ବଢ଼େଇପଲା ଗ୍ରାମର ଗଣେଶ୍ୱର ସିଂ। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, କଳା ଓ ଧଳା ବାରୁଦ ସହିତ ଶିକାର ଯନ୍ତ୍ରପାତି ଜବତ କରାଯାଇଛି। ଶିକାରୀମାନଙ୍କ ବିରୋଧରେ ମାମଲା (ନଂ. ୧୪/୨୦-୨୧) ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଚଢ଼ାଉ କରାଯାଇଥିଲା।