୩୫ରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ଛପର ଉଡିଲା

ଜଳେଶ୍ୱର,୧୫।୫(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେସ୍ବର ବ୍ଲକ ଅଧୀନ କୋଟସାହି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ କାଳବୈଶାଖୀ ତାଣ୍ଡବ ରଚିଛି। ଫଳରେ କୋଟସାହି ଗ୍ରାମର ମଣ୍ଟୁ ଦାସମହାପାତ୍ର, ନିତ୍ୟାନନ୍ଦ ସେଣ, ରତନ ବେହେରା, ଅରବିନ୍ଦ ବେହେରାଙ୍କ ଘର ଉପରେ ପୁରାତନ ଗଛ ଉପୁଡ଼ି ପଡ଼ିଥିଲା। ସେମାନଙ୍କ ପରିବାର ଲୋକେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏଥିସହିତ ଗ୍ରାମରେ ଥିବା ୩୫ ଊର୍ଦ୍ଧ୍ୱ ବିଦ୍ୟୁତଖୁଣ୍ଟ ଭାଙ୍ଗିଯିବା ସହ ଅନେକ ଲୋକଙ୍କ ଘର ଛପର ଉଡ଼ିଯାଇଛି। ଗ୍ରାମର ଅଧିକାଂଶ ରାସ୍ତା ଉପରେ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ହୋଇଛି। କାଳବୈଶାଖୀ ଫଳରେ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପଞ୍ଚାୟତର ଭାଜପା ନେତା ଅଶୋକ କୁମାର ପରିଡ଼ା କ୍ଷତିଗ୍ରସ୍ତ ଲୋକଙ୍କୁ ଯଥାଶୀଘ୍ର କ୍ଷତିପୂରଣ ସହିତ ସରକାରୀ ସାହାଯ୍ୟ ଦେବା ପାଇଁ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରିଛନ୍ତି।