ଚେନ୍ନାଇ,୨୩।୫: ତାମିଲନାଡୁର କୋଏମ୍ବାଟୁର ଜିଲାର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷୀୟା ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ଗୁରୁବାର ସାରୁ ନିଖୋଜ ଥିବା ଝିଅଟି ଶୁକ୍ରବାର କନ୍ନମପାଲୟମ ହ୍ରଦ ନିକଟରେ କ୍ଷତବିକ୍ଷତ ଅବସ୍ଥାରେ ପଡିଥବା ଦେଖାଯାଇଥିଲା। ହେଲେ ସେତେବେଳକୁ ସେ ଜୀବିତ ନ ଥିଲେ ମୃତ ଭାବେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର କହିବା ଅନୁଯାୟୀ, ଝିଅଟି ତାଙ୍କ ଘର ପାଖରେ ଜିନିଷପତ୍ର କିଣିବା ପାଇଁ ବାହାରକୁ ଯାଇଥିଲା। ଏହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗିରଫ ବ୍ୟକ୍ତିମାନଙ୍କୁ କାର୍ତ୍ତିକ ଏବଂ ମୋହନ ରାଜ ବୋଲି ଚିହ୍ନଟ କରାଯାଇଛି।
ଘଟଣା ପରେ, ଝିଅର ମାତାପିତା ଏବଂ ସମ୍ପର୍କୀୟମାନେ ସୁଲୁର ପୋଲିସ ଷ୍ଟେଶନ ବାହାରେ ପ୍ରତିବାଦ ପ୍ରଦର୍ଶନ କରି ନ୍ୟାୟ ଦାବି କରିଥିଲେ। ପୀଡିତାଙ୍କ ପରିବାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସରକାରୀ ବିବୃତ୍ତି କିମ୍ବା ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ସେମାନେ ଝିଅର ମୃତଦେହ ଶବଗୃହରୁ ଦାବି କରିବେ ନାହିଁ। ପରିବାରର ଜଣେ ସଦସ୍ୟ ANIକୁ କହିଛନ୍ତି, ‘ଆମେ ପରିବର୍ତ୍ତନ ପାଇଁ ଭୋଟ ଦେଇଥିଲୁ। କିନ୍ତୁ ବର୍ତ୍ତମାନ, ଆମକୁ କୌଣସି ପ୍ରତିଶ୍ରୁତି କିମ୍ବା ବିବୃତ୍ତି ମଧ୍ୟ ମିଳୁନାହିଁ।’
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖି ସେ କହିଛନ୍ତି ଯେ କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା ଝିଅ ସହିତ ଘଟିଥିବା ଏହି ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ। ସେ ଦୃଢ଼ତାର ସହିତ କହିଛନ୍ତି ଯେ ସମାଜରେ ଏପରି ଅମାନବୀୟ ଏବଂ ଅକ୍ଷମଣୀୟ ଅପରାଧକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ। ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ ସନ୍ଦୀପ ରାୟ ରାଠୋର ମଧ୍ୟ ମାମଲାର ତଦନ୍ତ ସମୀକ୍ଷା କରିବା ପାଇଁ କୋଏମ୍ବାଟୁରରେ ପହଞ୍ଚିଛନ୍ତି। ପୀଡିତାଙ୍କ ପରିବାରର ଜଣେ ସମ୍ପର୍କୀୟ ସେନ୍ଥିଲ କୁମାର ଉଲ୍ଲେଖ କରିଛନ୍ତି ଯେ ପ୍ରାରମ୍ଭରେ ପରିବାରକୁ କେବଳ ଝିଅଟି ନିଖୋଜ ଥିବା ସୂଚନା ଦିଆଯାଇଥିଲା, କିନ୍ତୁ ପରେ ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ମୃତଦେହ ହ୍ରଦ କୂଳରେ ମିଳିଛି। ଘଟଣା ପରେ, ବହୁ ସଂଖ୍ୟକ ଛାତ୍ର ଏବଂ ସ୍ଥାନୀୟ ଲୋକମାନେ ପ୍ରତିବାଦ କରିବା ପାଇଁ ରାସ୍ତା ଅବରୋଧ କରିଥିଲେ।

