Categories: ପୁରୀ

ହୋମ୍‌ କ୍ୱାରାଣ୍ଟାଇନରେ ୧୪ ପୋଲିସ କର୍ମଚାରୀ

ବ୍ରହ୍ମଗିରି,୧୩ା୬(ଡି.ଏନ.ଏ): ବ୍ରହ୍ମଗିରି ଅଞ୍ଚଳରୁ ଶନିବାର ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ବ୍ରହ୍ମଗିରି ଥାନାଧିକାରୀଙ୍କ ସମେତ ୧୪ଜଣ କର୍ମଚାରୀ ହୋମ କ୍ୱାରାଣ୍ଟାଇନରେ ରହିଥିବା ଆଡିସ୍‌ନାଲ ଏସପି ଅରୁଣ ଜେନା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଏହି ଥାନା ଅନ୍ତର୍ଗତ ସାତପଡ଼ା ଫାଣ୍ଡି ଅଧୀନରୁ ଗତ ମଙ୍ଗଳବାର ଏକ ଚୋରି ଘଟଣାରେ ଜଣେ ଅଭିଯୁକ୍ତକୁ ଫାଣ୍ଡି ଅଧିକାରୀ ଧରିଥିଲେ। ପରେ ବ୍ରହ୍ମଗିରି ଥାନାକୁ ପଠାଇଥିଲେ। ଥାନାରେ ଉକ୍ତ ଅଭିଯୁକ୍ତକୁ ରଖି ସମସ୍ତ ଘଟଣାର ତଦନ୍ତ କରାଯାଇ ଗୁରୁବାର ଦିନ ତାକୁ କୋର୍ଟ ଚାଲାଣ କରାଯାଇଥିଲା। ଉକ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ ପୂର୍ବରୁ ତା’ର କରୋନା ପରୀକ୍ଷା ପାଇଁ ସ୍ବାବ ସଂଗ୍ରହ କରାଯାଇଥିଲା। ଏହି ପରୀକ୍ଷାର ରିପୋର୍ଟ ଶନିବାର ପଜିଟିଭ ବାହାରିଛି। ଏ ନେଇ ବ୍ରହ୍ମଗିରି ଥାନାଧିକାରୀ ଓ ସାତପଡ଼ା ଫାଣ୍ଡି ଅଧିକାରୀଙ୍କ ସମେତ ୧୪ ଜଣଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଛି।