ହାତୀ ଉପଦ୍ରବ: ଅଧାପାଚିଲା ଧାନକାଟିଲେ ଚାଷୀ

ଚମ୍ପୁଆ, ୯ା୬(ଡି.ଏନ.ଏ.)-ହାତୀ ପାଇଁ ରାତି ଉଜାଗର ରହୁଥିବା ଚାଷୀ ଶେଷରେ ଅନ୍ୟ ଉପାୟ ନ ପାଇ ମୁଠା ମୁଠା ଟଙ୍କା ଖର୍ଚ୍ଚ କରିଥିବା ଧାନଚାଷକୁ ଅଧାପାଚିଲା ଅବସ୍ଥାରେ ବିଲରୁ କାଟିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଚୋରଠାରୁ ଶିକା ବାହୁଙ୍ଗି ପାଇବା ଭଳି ଚାଷୀ ହାତୀ ଦାଉରୁ ଅଧା ଧାନ ପାଇବା ଆଶାରେ ଦର ପାଚିଲା ଧାନକୁ ଖଳାକୁ ନେଇ ଆଣୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ହାତୀ ଦ୍ୱାରା ହେଉଥିବା ଫସଲ ହାନି ବାବଦକୁ ନିର୍ଦ୍ଧାରିତ ଅର୍ଥ ଚାଷ ବାବଦକୁ ହେଉଥିବା ଖର୍ଚ୍ଚ ଓ ପରିଶ୍ରମ ତୁଳନାରେ ଯଥେଷ୍ଟ ହେଉ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ହାତୀମାନେ ଯେଉଁ ବିଲରେ ପଶୁଛନ୍ତି ସେ ବିଲରେ ଖାଇବା ଅପେକ୍ଷା ନଷ୍ଟ ଅଧିକ କରୁଛନ୍ତି। ନଷ୍ଟ ହେଉଥିବା ଧାନଗଛକୁ ଉଦ୍ଧାର କରିବା ସମ୍ଭବପର ହେଉନାହଁି। ସରକାରଙ୍କ ପକ୍ଷରୁ ହାତୀପଲ ଦ୍ୱାରା ହେଉଥିବା ଧାନ ଚାଷ କ୍ଷୟକ୍ଷତି ବାବଦକୁ ଏକର ପିଛା ୧୦ ହଜାର ଟଙ୍କା ଓ ତୈଳବୀଜ ଜାତୀୟ ଫସଲ ଏକରକୁ ୧୨ ହଜାର ଟଙ୍କା ପ୍ରଦାନ କରାଯାଉଛି। ମାତ୍ର ଚାଷୀ ଧାନ ଚାଷରେ ଏକର ପିଛା ୮ ରୁ ୯ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ସେଥିପାଇଁ ଏହି ସହାୟତା କୌଣସି ଭରଣା କରିପାରୁନି। ଅନେକ ସ୍ଥାନରେ ଏକର ଏକର ଧାନ ଚାଷ ଏହି ହାତୀପଲ ଦ୍ୱାରା ପ୍ରଭାବିତ ହେଉଥିଲେ ହେଁ ଚାଷୀ ଉପଯୁକ୍ତ ପ୍ରାପ୍ୟ ପାଇପାରୁ ନାହାନ୍ତି। ଜଙ୍ଗଲ ସନ୍ନିକଟ ଚାଷ ଜମିଗୁଡିକ ଏ ହାତୀପଲ ଦ୍ୱାରା ପ୍ରାୟତଃ ପ୍ରଭାବିତ ହେଉଛି। ବନ ବିଭାଗ ଦ୍ୱାରା ହାତୀ ଯାତାୟାତ ପଥ ସୂଚନା ବୋର୍ଡ ଲଗାଯାଇଥିଲେ ମଧ୍ୟ ହାତୀପଲଙ୍କ ଚଲାପଥ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଫଳରେ ସିଧାସଳଖ ଚାଷୀମାନଙ୍କ ଫସଲ ନଷ୍ଟ ହେଉଛି। ଅଡଙ୍ଗାପାଳ ମୁଣ୍ଡାସାହିର ଚାଷୀ ଶ୍ରବଣ ଓରାମଙ୍କୁ ପଚାରିବାରୁ କହିଛନ୍ତି ଯେ ହାତୀପଲ ବିଲ ମଧ୍ୟକୁ ପଶି ଦଳିଚକଟି ଦେଉଛନ୍ତି। ଆଉ ୮/୧୦ ଦିନ ପରେ ଧାନ ପୂରା ପାଚି ଯାଇଥାନ୍ତା। ମାତ୍ର ହାତୀ ଭୟରେ ଏସବୁ କରିବାକୁ ପଡ଼ୁଛି। ଏ ନେଇ ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ରଙ୍କୁ ପଚାରିବାରୁ ସରକାରଙ୍କ ପକ୍ଷରୁ ଶସ୍ୟ ନଷ୍ଟ ସହାୟତାକୁ ତ୍ୱରାନ୍ବିତ କରାଯାଇଛି। ତେଣୁ ଚାଷୀମାନେ ଅଧା ପାଚିଲା ଧାନ ନ କାଟିବା ପାଇଁ ଅନୁରୋଧ କରିଛନ୍ତି।