ହାତୀକୁ ସୁରକ୍ଷା ଦେବା ଲାଗି ଖଣିକମ୍ପାନୀକୁ ତାଗିଦ: ଜୁରୁଡ଼ି ଅଞ୍ଚଳରେ ବୁଲୁଛନ୍ତି ୧୭ ହାତୀ

ଯୋଡ଼ା, ୩୦।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବନପାଳଙ୍କ ଅଞ୍ଚଳରେ ୧୭ଟି ହାତୀ ଘୁରିବୁଲୁଥିବା ଖବର ହସ୍ତଗତ ହୋଇଛି। ଯୋଡ଼ା ବନପାଳ ପିଅନ ନାଏକଙ୍କ ସୂଚନା ମୁତାବିକ ଜୁରୁଡ଼ି ଖଣି ଅଞ୍ଚଳରେ ୧୭ଟି ହାତୀ ପ୍ରାୟ ଏକ ମାସ ଧରି ବିଭିନ୍ନ ଖଣି ସଂଲଗ୍ନ ଜଙ୍ଗଲରେ ବୁଲୁଛନ୍ତି। ଜଙ୍ଗଲ ଭିତରକୁ ଯିବା ପାଇଁ ରାସ୍ତା ପାଉ ନ ଥିବାରୁ ହାତୀପଲ ଜୁରୁଡ଼ି ସନ୍ନିକଟ କେଏମସି ଖଣି ଅଞ୍ଚଳ, ଖଣ୍ଡବନ୍ଧ ଖଣି ଅଞ୍ଚଳ, ଜୋରିବାହାଲ ଖଣି ଅଞ୍ଚଳମାନଙ୍କରେ ବିଚରଣ କରୁଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଜଲହରି ବସ୍ତି ଅଞ୍ଚଳରେ ଥିବା ରେଳଧାରଣା ନିକଟରେ ହାତୀପଲ ବିଚରଣ କରୁଥିଲେ। ଏମାନଙ୍କୁ ଘଉଡ଼ାଇବା ପାଇଁ ବନପାଳଙ୍କ ନେତୃତ୍ୱରେ ହାତୀ ସ୍କ୍ବାଡ, ବନରକ୍ଷୀ ନିୟୋଜିତ ହୋଇଥିଲେ। ଗାଁ ଲୋକେ ମଧ୍ୟ ହାତୀ ଭୟରେ ନିଆଁ ଜାଳି ରାତି ଉଜାଗର ରହିଥିବା ମଟକା ମୁଣ୍ଡା, ସୋରେନ ମୁଣ୍ଡା, ଜଟ ମୁଣ୍ଡା ପ୍ରମୁଖ କହିଛନ୍ତି। ତେବେ ବନବିଭାଗ ପକ୍ଷରୁ ହାତୀଙ୍କୁ ସୁରକ୍ଷା ଦେବା ଲାଗି ଖଣିରେ ଥିବା ଉଚ୍ଚ ଶକ୍ତି ସମ୍ପନ୍ନ ଲାଇଟ, ବାରୁଦ ବିସ୍ଫୋରଣ, ଖଣିଜ ପରିବହନକୁ ବନ୍ଦ କରିବା ପାଇଁ ଚିଠି ଦିଆଯାଇଥିବା ବନପାଳ ପିଅନ ନାଏକ କହିଛନ୍ତି। ଏତଦବ୍ୟତୀତ ବନବିଭାଗ ଓ ରେଳବାଇ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ହାତୀବୁଲୁଥିବା ରେଳଧାରଣାରେ ରେଳ ଚଳାଚଳକୁ ସୀମିତ କରିବା ପାଇଁ କୁହାଯାଇଛି।