ଲଣ୍ଡନ,୧୦।୪: କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ସୁସ୍ଥ ହେବା ପରେ ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଆଇସିୟୁରୁ ଓ୍ବାର୍ଡକୁ ଅଣାଯାଇଛି। ଏନେଇ ସରକାରୀ ମୁଖପାତ୍ର ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବୋରିସ୍ ଏବେ ସୁସ୍ଥ ଅନୁଭବ କରୁଛନ୍ତି। ବର୍ତ୍ତମାନ ଡାକ୍ତରୀ ଦଳର ଏକ ଟିମ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ବୋରିସ୍ କୋଭିଡ-୧୯ରେ ଆକ୍ରାନ୍ତ ହୋଇ ସେଣ୍ଟ ଥୋମାସ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି। ସୋମବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ସୁସ୍ଥ ହେବା ଖବର ଆସିବା ପରେ ଦେଶବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।


