ସ୍ବାମୀଙ୍କ ଚିହ୍ନା କହି ମହିଳାଙ୍କଠୁ ଲୁଟ୍‌

ଭଦ୍ରକ ଅଫିସ, ୨।୬ – ସ୍ବାମୀଙ୍କ ଚିହ୍ନା କହି ଜଣେ ଯୁବକ ମହିଳାଙ୍କଠାରୁ ୫୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଧୂଷୁରୀ ଥାନା ଅନ୍ତର୍ଗତ ଛନ୍ଦାସାହି ଗ୍ରାମର କଳ୍ପନା ନାୟକ(୪୩)। ସେ ଶୁକ୍ରବାର ଭଦ୍ରକସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୫୫ ହଜାର ଟଙ୍କା ଉଠାଇଥିଲେ। ସେହି ସମୟରେ ଜଣେ ଅପରିଚିତ ଯୁବକ ତାଙ୍କ ସ୍ବାମୀ ରଞ୍ଜନ ନାୟକଙ୍କୁ ଚିହ୍ନିଥିବା ଏବଂ ତାଙ୍କୁ ବନ୍ତ ଛକରେ ଛାଡ଼ିଦେବେ ବୋଲି କହିଥିଲେ। କଳ୍ପନା ତାଙ୍କ ହାତକୁ ଟଙ୍କା ବ୍ୟାଗ୍‌ ଦେଇ ପାସବୁକ୍‌ ଅପଡେଟ୍‌ ପାଇଁ ବ୍ୟାଙ୍କ ଭିତରକୁ ଯାଇଥିଲେ। ଏହାପରେ ସେ ଯୁବକଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିଲେ। କିନ୍ତୁ ଯୁବକ ଜଣଙ୍କ ତାଙ୍କୁ ବନ୍ତ ଛକ ପରିବର୍ତ୍ତେ ଅନ୍ୟ ଏକ ସ୍ଥାନରେ ଓହ୍ଲାଇ ଦେଇ ଛାଡ଼ି ଚାଲିଯାଇଥିଲେ। ସନ୍ଦେହ ହେବାରୁ କଳ୍ପନା ବ୍ୟାଗ୍‌ ଦେଖିବାରୁ ସେଥିରେ ୫୦ହଜାର ଟଙ୍କା ନ ଥିଲା ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ତାଙ୍କ ଅଭିଯୋଗ କ୍ରମେ ଏ ନେଇ ଟାଉନ ଥାନା ପୋଲିସ ଏକ ମାମଲା (ନଂ.୧୬୪/୧୯) ରୁଜୁ କରି ତଦନ୍ତ ଚଳାଇଛି।