ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି। ଘଟଣାଟି ସ୍କୁଲରେ ପାଠ ପଢା ଚାଲିଥିବା ସମୟରେ ଛାତ୍ରୀଜଣଙ୍କ ବାନ୍ତି ଲାଗୁଥିବା କଥା ଶିକ୍ଷକଙ୍କୁ ଜଣାଇଥିଲେ। ପରବର୍ତ୍ତୀ ସମୟରେ ପଚରାଉଚରା କରିବା ସମୟରେ ସେ ମୂଷା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ଛାତ୍ରୀଙ୍କୁ କାଶୀନାଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ପରିସ୍ଥିତି ଗୁରୁତର ହେବାରୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି। ତେବେ ଆତ୍ମହତ୍ୟା ଉଦ୍ୟମର ପଛରେ କାରଣ ବୁଝିବା ବେଳକୁ ଛାତ୍ରୀଙ୍କ ମା’ ଙ୍କ କହିବା ହେଲା ରବିବାର ରାତିରେ କୌଣସି କାରଣରୁ ମା’ ଝିଅଙ୍କ ମଧ୍ୟରେ ବଚସା ହୋଇଥିଲା। ଯେଉଁଥିରେ ଛାତ୍ରୀଜଣଙ୍କୁ ମାନସିକ ଆଘାତ ଲାଗିଥିଲା। ତେଣୁ ଆଜି ସକାଳୁ ଘରୁ ପଇସା ମାଗି ଘରେ ନଖାଇ ଛାତ୍ରୀ ଜଣଙ୍କ ସ୍କୁଲକୁ ଆସିଥିଲେ । ଆସିବା ସମୟରେ କୌଣସି ଏକ ଦୋକାନରୁ ମୂଷା ମରା ଔଷଧ କିଣି ଆଣି ସ୍କୁଲରେ ଖାଇଦେଇଥିବା ଛାତ୍ରୀଙ୍କ ମା’ କହିଛନ୍ତି।


