ସେଲ୍‌ଫି ନେଲା ବେଳେ ଯୁବକଙ୍କୁ କଚାଡ଼ିଲା ଦନ୍ତା

କୁଆମରା,୨୮ା୧୨(ଡି.ଏନ୍‌.ଏ.)- ହାତୀ ଦେଖିବାକୁ ଯାଇ ଜଣେ ଯୁବକ ମୋବାଇଲରେ ସେଲ୍‌ଫି ନେବା ବେଳେ ମାଡ଼ି ଆସିଲା ବିପଦ। ୫୦୦ ମିଟର ପର୍ଯ୍ୟନ୍ତ ଗୋଡାଇଲା ଦନ୍ତାହାତୀ। ଶୁଣ୍ଢରେ ତାଙ୍କୁ ଉଠାଇ ଫିଙ୍ଗିଦେଲା କିଛି ଦୂରକୁ । ସୌଭାଗ୍ୟବଶତଃ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଥିଲେ ଏହି ଯୁବକ। ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଜୟପୁର ପଞ୍ଚାୟତର ଦାମାସାହି ଗ୍ରାମ ନିକଟରେ ଶୁକ୍ରବାର ଏହି ଘଟଣା ଘଟିଛି। ସେଲ୍‌ଫି ଉଠାଉଥିବା ଏହି ଯୁବକଙ୍କ ପରିଚୟ ଜଣାପଡ଼ି ନାହିଁ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିିହା ଅଞ୍ଚଳରୁ ୭ଟି ହାତୀ କୁଆମରା ବନାଞ୍ଚଳକୁ ବୁଧବାର ରାତିରେ ପଶି ଆସିଥିଲେ। କଡଦା ଗ୍ରାମର ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ଗୁରୁବାର କୁଆମରା ଫରେଷ୍ଟର ଧ୍ରୁବଚରଣ ବସନ୍ତିଆଙ୍କ ତତ୍ତ୍ୱାବଧାନ ଓ ଗ୍ରାମ ଲୋକଙ୍କ ସହାୟତାରେ ହାତୀ ପଲଙ୍କୁ ନୀଳଗିରି ଅଞ୍ଚଳକୁ ଘଉଡାଇ ଦିଆଯାଇଥିଲା। ତେବେ ହାତୀପଲ ନୀଳଗିରି ରେଞ୍ଜ ଅନ୍ତର୍ଗତ କାଠପାଳ ନିକଟରେ ପହଞ୍ଚିବା ବେଳକୁ ଗୋଟିଏ ହାତୀ ଗୋଠଛଡା ହୋଇ ଯାଇଥିଲା। ଦଳର ବାକି ୬ଟି ହାତୀ ପୁଣି ପଛକୁ ଫେରି ଆସି ପୁରୁଣା ଗାଁ ନିକଟରେ ପହଞ୍ଚିଥିଲେ। ତେବେ ରାତିରେ ସାଇଁକୁଳା ରାସ୍ତାରେ ଆସି କଲେଜ ସମ୍ମୁଖରେ ଥିବା ଏକ ଧାନଖଳାରେ ରଖା ଯାଇଥିବା ଧାନବିଡାକୁ ଖାଇ ଯାଇଥିଲେ। ପରେ ଜୟପୁର ପଞ୍ଚାୟତସ୍ଥିତ ଦାମାସାହି ଗ୍ରାମର ଜିତେନ ନାୟକଙ୍କ ଶାଗୁଆନ ବଗିଚାରେ ଶୁକ୍ରବାର ଦିନତମାମ ରହି ଉତ୍ପାତ କରିଥିଲେ। ବାରିପଦା, ଡୁକୁରା ଓ ଉଦଳାରୁ ୪୦ରୁ ଊର୍ଦ୍ଧ୍ୱ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସ୍ଥାନ ଛାଡ଼ି ଯାଇ ନ ଥିଲେ। ଶେଷରେ ସାରେ ବାଣ ଫୁଟାଇବା ସହ ନିଆଁ ହୁଳା ଦେଖାଇବାରୁ ହାତୀ ପଲ ମୁଖ୍ୟ ରାସ୍ତା ପାର ହୋଇ ବିଲ ମଧ୍ୟରେ ପଶି ନୀଳଗିରି ମୁହଁା ହୋଇଥିଲେ। ତେବେ ହାତୀଙ୍କ ପାଇଁ ଖୁଣ୍ଟା- କୁଆମରା ମୁଖ୍ୟ ରାସ୍ତାର ଦାମାସାହି ନିକଟରେ ପ୍ରାୟ ୨/୩ ଘଣ୍ଟା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ହାତୀ ଦେଖିବାକୁ ଆସିଥିବା ଲୋକଙ୍କ ମଧ୍ୟରୁ ଜଣେ ଯୁବକ ହାତୀ ପାଖକୁ ଯାଇ ନିଜ ମୋବାଇଲରେ ସେଲ୍‌ଫି ନେଉଥିବା ବେଳେ ହାତୀଟି ରାଗି ଯାଇ ତାଙ୍କୁ ଆକ୍ରମଣ କରିଥିଲା, ଯାହାକି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।