ସୂର୍ଯ୍ୟ ପାତ୍ର ହେଲେ ବାଚସ୍ପତି କ୍ଷମତା ସମୀକ୍ଷା କମିଟି ସଦସ୍ୟ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଲୋକ ସଭା ବାଚସ୍ପତି ତଥା ଅଖିଳ ଭାରତ ବାଚସ୍ପତି ସମ୍ମିଳନୀର ଅଧ୍ୟକ୍ଷ ଓମ୍‌ପ୍ରକାଶ ବିର୍ଲା ବାଚସ୍ପତିମାନଙ୍କର ଏକ କ୍ଷମତା ସମୀକ୍ଷା କମିଟି ଗଠନ କରିଛନ୍ତି। ସମ୍ବିଧାନର ଦଶମ ଅନୁସୂଚୀ ଏବଂ ତତ୍‌ସମ୍ପର୍କିତ ନିୟମାବଳୀ ଅନ୍ତର୍ଗତ ବାଚସ୍ପତିମାନଙ୍କର କ୍ଷମତାର ସମୀକ୍ଷା କରିବାକୁ ଏହି କମିଟି ଗଠନ କରାଯାଇଛି।
ଏହି କମିଟିରେ ରାଜସ୍ଥାନ ବିଧାନସଭାର ବାଚସ୍ପତି ସି.ପି. ଯୋଶୀ ଅଧ୍ୟକ୍ଷ ଥିବାବେଳେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏବଂ କର୍ନାଟକ ବିଧାନସଭାର ବାଚସ୍ପତି ବିଶେଶ୍ୱର ହେଗ୍‌ଡେ କାଗେରୀ ଅନ୍ୟତମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ବିଧାନସଭାଗୁଡ଼ିକର କାର୍ଯ୍ୟକୁ କାଗଜଶୂନ୍ୟ କରିବା ଉଦ୍ଦେଶ୍ୟରେ ଗଠିତ କମିଟିର ଅନ୍ୟତମ ସଦସ୍ୟ ଭାବେ ବାଚସ୍ପତି ପାତ୍ର ଲୋକ ସଭା ବାଚସ୍ପତିଙ୍କ ଦ୍ୱାରା ପୂର୍ବରୁ ମନୋନୀତ ହୋଇଛନ୍ତି।