ସୁସ୍ଥ ପରିବେଶ ପାଇଁ ବୃକ୍ଷରୋପଣ ଜରୁରି

ସୋନପୁର, ୭।୭(ନି.ପ୍ର) ସୁବର୍ଣ୍ଣପୁର ଜିଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହୋତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ ଓ ପରିବେଶର ସୁରକ୍ଷା ସମ୍ପର୍କରେ ଉପସ୍ଥିତି ଛାତ୍ରୀଛାତ୍ର ଓ ବନସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ବୁଝାଇଥିଲେ। ସୁସ୍ଥ ପରିବେଶ ପାଇଁ ସବୁଜିମା ଦରକାର। ତେଣୁ ସାମୂହିକ ବୃକ୍ଷରୋପଣ ସହିତ ଜଙ୍ଗଲର ସୁରକ୍ଷା ବର୍ତ୍ତମାନ ଜରୁରି ହୋଇପଡିଛି ବୋଲି ମନ୍ତ୍ରୀ କହିଥିଲେ। ଜିଲାପାଳ ମଧୁସୂଦନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲାରେ ଜଙ୍ଗଲ କମ୍‌ ଥିବାରୁ ବ୍ୟାପକ ବୃକ୍ଷରୋପଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅତିରିକ୍ତ ଜିଲାପାଳ ତଥା ଭାରପ୍ରାପ୍ତ ପିଡି ଡିଆରଡିଏ ଶରତ ଚନ୍ଦ୍ର ପଣ୍ଡା ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ବ୍ୟାପକ ବୃକ୍ଷରୋପଣ ସହିତ ବୃକ୍ଷକୁ ବଞ୍ଚାଇ ରଖିବା ପାଇଁ ଆବଶ୍ୟକ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ସୋନପୁର ଉପଜିଲାପାଳ ବଳରାମ ମଲ୍ଳିକ, ଜିଲା ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଥିବା ସୋନପୁର ଉପଖଣ୍ଡ ତରଭାର ଜୁନାନୀ ବନ ସୁରକ୍ଷା ସମିତି(ଭିଏସଏସ) ଏବଂ ବୀରମହାରାଜପୁର ଉପଖଣ୍ଡ ମାଉଲିମାଲ ବନ ସୁରକ୍ଷା ସମିତିକୁ ବିଜୁ ପଟ୍ଟନାୟକ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଦୁଇ ଭିଏସଏସକୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରଦତ୍ତ ୨୦ହଜାର ଟଙ୍କାର ଚେକ୍‌ ମନ୍ତ୍ରୀ ବେହେରା ପ୍ରଦାନ କରିଥିଲେ। ଏସିଏଫ ସୁଶିଲ କୁମାର ତ୍ରିପାଠୀ ସଭାକୁ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ମନ୍ତ୍ରୀ ପଦ୍ମନାଭ ବେହେରା ଅଫିସ କ୍ୟାମ୍ପସ୍‌ ପରିସରରେ ବୃକ୍ଷରୋପଣ କରିଥିଲେ।