ସରକାରୀ ବିଭାଗ-ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ: କର୍ମଚାରୀ ମହଲ ପ୍ରତିକ୍ରିୟା ଉପରେ ସରକାରଙ୍କ ନଜର

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭାଗଗୁଡିକ ସହ ସଂପୃକ୍ତ ନିର୍ଦ୍ଦେଶାଳୟ ମିଶ୍ରଣ ନେଇ ଗତ ୨୧ତାରିଖରେ ଜିଏ ଏଣ୍ଡ ପିଜି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପରେ ଓଡ଼ିଶା ସଚିବାଳୟ ସେବା ସଂଘ(ଓଏସ୍‌ଏସ୍‌) କ୍ୟାଡରଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷ କରି ନବାଗତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ)ଭାବେ ନିଯୁକ୍ତ ହୋଇଥିବା କର୍ମଚାରୀ ମହଲରେ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଛି। ତେଣୁ ସେମାନେ ସଂଘ ଦ୍ୱାରା ଏହି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ଚାହଁୁଛନ୍ତି। ହେଲେ ସଂଘର ନିର୍ବାଚିତ କୌଣସି କର୍ମକର୍ତ୍ତା ଏଥିପାଇଁ ଡକାଯାଉଥିବା ବୈଠକରେ ଯୋଗ ଦେଉନାହାନ୍ତି। ତେଣୁ କେତେକ କର୍ମଚାରୀ ଏକ ସ୍ବତନ୍ତ୍ର ଷ୍ଟିଅରିଂ କମିଟି ଗଠନ କରିବାକୁ ମତ ରଖିଛନ୍ତି। ସଂଘର କେତେକ ସଦସ୍ୟ ସଚିବାଳୟରେ କାର୍ଯ୍ୟରତ ଅନ୍ୟ ସଂଘ ଯଥା-ଟାଇପିଷ୍ଟ, ଡାଏରିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର, ଗାଡି ଚାଳକ ଏବଂ ଚତୁର୍ଥ ଶ୍ରେଣୀଙ୍କୁ ସାମିଲ କରିବା ପାଇଁ ଚିନ୍ତା କରୁଛନ୍ତି। ପୂର୍ବରୁ ନିର୍ବାଚିତ କମିଟି ଥିବାରୁ ଷ୍ଟିଅରିଂ କମିଟିର ଆବଶ୍ୟକତା ନେଇ ମଧ୍ୟ କେତେକ ପ୍ରଶ୍ନ ଉଠାଇଛନ୍ତି।
ବିଭାଗ-ନିର୍ଦ୍ଦେଶାଳୟ ମିଶ୍ରଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଚିବାଳୟ ସେବା ସଂଘ ସଭାପତି କୃଷ୍ଣ ମହାପାତ୍ର ଏବଂ ସମ୍ପାଦକ ବିବେକାନନ୍ଦ ସାମଲ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ହେଲେ ଏ ସମ୍ପର୍କିତ ବୈଠକରୁ ଉଭୟେ ନିଜକୁ ଦୂରେଇ ରଖିଥିବା ଜଣାପଡିଛି। ସୂଚନାନୁଯାୟୀ ରାଜ୍ୟ ଗୋଇନ୍ଦା ବିଭାଗଠାରୁ ଖବର ପାଇବା ପରେ ସଚିବାଳୟରେ କାର୍ଯ୍ୟରତ ପୋଲିସ ଅଧିକାରୀ ସଂଘର ଶୀର୍ଷ ନିର୍ବାଚିତ ଅଧିକାରୀଙ୍କୁ ୪ ଦିନ ପୂର୍ବେ ଜେରା କରିଥିଲେ। ସେହିପରି ସରକାରୀ ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନକୁ ଉତ୍ସାହିତ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଶାସନ ନଜର ରଖିଥିବା ଜଣାପଡିଛି। ତେଣୁ ଭବିଷ୍ୟତରେ ଯଦି ଆନ୍ଦୋଳନକୁ ଆଳ କରି ପ୍ରଶାସନିକ କାର୍ଯ୍ୟରେ କୌଣସି ବାଧା ଉପୁଜେ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଜଣାପଡିଛି।