ସତ୍ୟବାଦୀ ବିଦ୍ୟାପୀଠ ବିଜ୍ଞାନ କ୍ଲବକୁ ଗୋଲ୍ଡ କ୍ଲବ ସମ୍ମାନ

ଉଲୁଣ୍ଡା/ଅମରପାଲି, ୨୩।୬(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥରସ୍ଥିତ ସତ୍ୟବାଦୀ ବିଦ୍ୟାପୀଠର ବିଜ୍ଞାନ କ୍ଲବକୁ ଚଳିତ ବର୍ଷର ଗୋଲ୍ଡ କ୍ଲବ ସମ୍ମାନ ପ୍ରଦାନ କରାଯାଇଛି । ଛାତ୍ରୀଛାତ୍ରଙ୍କ ପାଇଁ ରୁଚିପୂର୍ଣ୍ଣ ଶ୍ରେଣୀ ଶିକ୍ଷାଦାନ ଓ ଜନସାଧାରଣଙ୍କଠାରେ ବିଜ୍ଞାନ ସଚେତନତା ସୃଷ୍ଟି ଯୋଗୁଁ କ୍ଲବ ଏହି ସମ୍ମାନ ପାଇଛି । ଓଡିଶାରେ କାର୍ଯ୍ୟ କରୁଥିବା ୨୨୪ ସକ୍ରିୟ ବିଜ୍ଞାନ କ୍ଲବ ମଧ୍ୟରୁ ସତ୍ୟବାନୀ ବିଜ୍ଞାନ କ୍ଲବକୁ ଲଗାତାର ଦୁଇ ବର୍ଷ ଧରି ସିଲଭର କ୍ଲବ ଓ ଚଳିତ ବର୍ଷ ପାଇଁ ଗୋଲ୍ଡ କ୍ଲବ ସମ୍ମାନ ମିଳିଥିବାରୁ ସାରା ଜିଲାରେ ଖୁସିର ଲହରି ଦେଖାଯାଇଛି । କ୍ଲବ ସଂଯୋଜକ ରାଧେଶ୍ୟାମ ପୁରୋହିତଙ୍କ ସୂଚନାମତେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରୟୁକ୍ତି ବିଦ୍ୟା ବିଭାଗ ଅନ୍ତର୍ଗତ ବିଜ୍ଞାନପ୍ରସାର ନୂଆଦିଲ୍ଲୀ ସହ ସହବନ୍ଧିତ ୨୪୦୦ସକ୍ରିୟ ବିଜ୍ଞାନ କ୍ଲବକୁ ବର୍ଗିକରଣ ପାଇଁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଇ ପ୍ରକ୍ରିୟାରେ ବିଜ୍ଞାନପ୍ରସାର, ଏନସିଇଆରଟି ଓ ଜାତୀୟ ବିଜ୍ଞାନ ସଂଗ୍ରହାଳୟର ପ୍ରତିଷ୍ଠିତ ବୈଜ୍ଞାନୀକଗଣ ନିୟୋଜିତ ହୋଇଥିଲେ। ନିଜନିଜ ଅଞ୍ଚଳରେ ଛାତ୍ରୀଛାତ୍ର ତଥା ଜନସାଧାରଣଙ୍କଠାରେ ବିଜ୍ଞାନ ସଚେତନତା ସୃଷ୍ଟି ଓ ଶିକ୍ଷାଦାନରେ ଅଭିନବ ଶୈଳୀର ପ୍ରୟୋଗକୁ ଆଧାର ଭାବେ ନେଇ ଜାତୀୟସ୍ତରରେ ୫ଟି କ୍ଲବକୁ ପ୍ଲାଟିନମ୍‌, ୫୭ଟି କ୍ଳବକୁ ଗୋଲ୍ଡ, ୬୦ଟି କ୍ଲବକୁ ସିଲଭର ଓ ୧୧୧ଟି କ୍ଲବକୁ ବ୍ରୋଞ୍ଜ ମାନ୍ୟତା ପ୍ରଦାନ କରାଯାଇଥିଲା। ସେହିପରି ଓଡିଶାରେ କାର୍ଯ୍ୟରତ ୨୨୪ଟି ସକ୍ରିୟ କ୍ଲବ ମଧ୍ୟରୁ କଳାହାଣ୍ଡି, କନ୍ଧମାଳ, ଭଦ୍ରକ ଓ ଗଞ୍ଜାମ ଜିଲାରୁ ଗୋଟିଏ ଗୋଟିଏ କରି ମୋଟ ୪ଟି କ୍ଲବକୁ ବ୍ରୋଞ୍ଜ ଓ ଖୋର୍ଦ୍ଧା ଜିଲାରୁ ୨ଟି ଏବଂ ବାଳେଶ୍ୱର ଓ ଗଞ୍ଜାମ ଜିଲାରୁ ଗୋଟିଏ ଗୋଟିଏ କରି ମୋଟ ୪ଟି କ୍ଲବକୁ ସିଲଭର ଓ ସତ୍ୟବାଦୀ ବିଜ୍ଞାନ କ୍ଲବକୁ ଗୋଲ୍ଡ କ୍ଲବ ସମ୍ମାନ ପାଇଁ ମନୋନୀତ ହୋଇଥିବା କ୍ଲବ ସଂଯୋଜକ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ରାଧେଶ୍ୟାମ ପୁରୋହିତ ପ୍ରକାଶ କରିଛନ୍ତି । ସତ୍ୟବାଦୀ ବିଜ୍ଞାନ କ୍ଲବର ଏହି ସଫଳତା ଜିଲାର ଅନ୍ୟ ସ୍କୁଲମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଇଓ ପୁଷ୍ପ ମିଞ୍ଜ କହିଛନ୍ତି ।