ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀଙ୍କ ପଞ୍ଚଲିଙ୍ଗେଶ୍ୱର ଗସ୍ତ:‘ପୀଠର ବିକାଶ ଲାଗି ସାମୂହିକ ସହଯୋଗ ଲୋଡା’

ସଜନାଗଡ଼, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠକୁ ରବିବାର ସଂସ୍କୃତି, ପର୍ଯ୍ୟଟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗସ୍ତ କରିଥିଲେ। ସେଠାରେ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ମନ୍ତ୍ରୀ ମନ୍ଦିରକୁ ଯାଇ ଲିଙ୍ଗ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।
ପରେ ମନ୍ତ୍ରୀ ପଞ୍ଚଲିଙ୍ଗେଶ୍ୱର ପାନ୍ଥନିବାସଠାରେ ପହଞ୍ଚିଥିଲେ। ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେଠାରେ ପଞ୍ଚଲିଙ୍ଗେଶ୍ୱର ପୀଠର ସର୍ବାଙ୍ଗୀନ ଉନ୍ନତି ସମ୍ପର୍କରେ ପ୍ରଶାସନିକ ଆଲୋଚନା କରାଯାଇଥିଲା। ମନ୍ତ୍ରୀ ପାଣିଗ୍ରାହୀ କହିଥିଲେ ଯେ, ପଞ୍ଚଲିଙ୍ଗେଶ୍ୱର ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ତେଣୁ ଏହାର ବିକାଶ ଲାଗି ସେ ସାମୂହିକ ସହଯୋଗ ଲୋଡିଥିଲେ। ଆଲୋଚନା ସମୟରେ ମନ୍ତ୍ରୀ ପାଣିଗ୍ରାହୀଙ୍କ ସହ ଆସିଥିବା ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ମୁକ୍ତିକାନ୍ତ ମଣ୍ଡଳ ଏବଂ ବାଲେଶ୍ୱର ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ, ନୀଳଗିରି ଉପଜିଲାପାଳ ବିଶାଲ ସିଂ, ଅତିରିକ୍ତ ତହସିଲଦାର ରାକେଶ ପଣ୍ଡା, ଗଙ୍ଗାଧର ମିଶ୍ର, ଉପେନ୍ଦ୍ର ଦାସ, ରାଧାଗୋବିନ୍ଦ ଖଟୁଅ, ସନ୍ତୋଷ ଖଟୁଆ, ଗତିକୃଷ୍ଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।