ଷ୍ଟେଶନରୁ ପିଲା ଚୋରି ଘଟଣା:  ଉଦ୍ଧାର ଶିଶୁ ମା’ଙ୍କୁ ହସ୍ତାନ୍ତର

ବାଲେଶ୍ୱର ଅଫିସ, ୧୨।୧୦- ବାଲେଶ୍ୱର ରେଳଷ୍ଟେଶନର ୧ ନଂ. ପ୍ଲାଟଫର୍ମରୁ ଗତ ୩ ତାରିଖ ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ମା’ କୋଳରେ ଶୋଇଥିବା ଏକ ୩ମାସର ଶିଶୁପୁତ୍ରକୁ ଚୋରି କରିନେଇଥିବା ରେଲଓ୍ବେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଉକ୍ତ ଶିଶୁକୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭାଗୀରଥି ବାରିକ, ସଦସ୍ୟ ପଦ୍ମଲୋଚନ ଦତ୍ତ, ଏଲ୍‌ପିଓ ମୁକ୍ତିକାନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଶୁକ୍ରବାର ତାଙ୍କ ମା’ଙ୍କୁ ହସ୍ତାନ୍ତର କରିଛନ୍ତି।
ଜଳେଶ୍ୱର ଅଞ୍ଚଳର ସୀତା ମାରାଣ୍ଡି ନାମ୍ନୀ ମହିଳା କିଛିଦିନ ପୂର୍ବରୁ ବାଲେଶ୍ୱର ସହର ସହଦେବଖୁଣ୍ଟା ମଡେଲ ଥାନା ଗୁଧିବସାରେ ଭଡ଼ା ରହି ଲୋକମାନଙ୍କ ଘରେ କାମ କରି ଚଳୁଥିଲେ। ଗତ ୩ ତାରିଖ ରାତିରେ ସେ ଘରକୁ ଫେରି ନ ପାରି ନିଜର ଶିଶୁପୁତ୍ର ସହ ରେଳଷ୍ଟେଶନର ୧ନଂ. ପ୍ଲାଟଫର୍ମରେ ଶୋଇପଡିଥିଲେ। ବିଳମ୍ବିତ ରାତିରେ ସୀତା ଗଭୀର ନିଦ୍ରାରେ ଶୋଇଥିବାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଶିଶୁକୁ ନେଇଯାଇଥିଲେ। ନିଦ ଭାଙ୍ଗିବା ପରେ ସୀତା ତାଙ୍କ ପୁଅକୁ ନ ପାଇ ରେଲଓ୍ବେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ରେଲଓ୍ବେ ଥାନାରେ ପୋଲିସ ମାମଲା (ନଂ. ୬୨/୧୯) ରୁଜୁ କରି ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। ଜଳେଶ୍ୱରରୁ ଗଞ୍ଜାମ ଜିଲା ମୁକୁନ୍ଦପୁର ଅଞ୍ଚଳର ପି. ଯୋଗୀ ପାତ୍ର, ସ୍ତ୍ରୀ ବି. ଲକ୍ଷ୍ମୀ ପାତ୍ର, ଶିଳ୍ପାଞ୍ଚଳ ଥାନା ଶୋଭାରାମପୁର ଅଞ୍ଚଳର ପାଣ୍ଡିଆ କିସ୍କୁଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଏଯାଏ ଫେରାର ଅଛନ୍ତି। ଶିଶୁକୁ ଚୋରି କରି ବିହାର ନେଇଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଶିଶୁକୁ ଉଦ୍ଧାର କରାଯାଇ କୁରୁଡ଼ାସ୍ଥିତ ନିର୍ମଳା ଶିଶୁ ଭବନରେ ରଖାଯାଇଥିଲା। ଗତ ଗୁରୁବାର ଶିଶୁପୁତ୍ରକୁ ନେବା ପାଇଁ ମା’ ସୀତା ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ବାରିବ ଏବଂ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝିଙ୍କୁ ଲିଖିତ ଭାବେ ଜଣାଇଥିଲେ। ସମସ୍ତ ପ୍ରମାଣପତ୍ର ପୈଠ କରିବା ପରେ ଶୁକ୍ରବାର ତାଙ୍କୁ ଶିଶୁପୁତ୍ରକୁ ହସ୍ତାନ୍ତର କରାଯାଇଛି।