LAKE SUCCESS, NY - MARCH 11: A lab technician begins semi-automated testing for COVID-19 at Northwell Health Labs on March 11, 2020 in Lake Success, New York. An emergency use authorization by the FDA allows Northwell to move from manual testing to semi-automated. (Photo by Andrew Theodorakis/Getty Images)
ଭୁବନେଶ୍ୱର, ୨୫ା୪(ବ୍ୟୁରୋ): କରୋନା ସ୍ଥିତିକୁ ନେଇ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଆଲୋଚନା କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ହର୍ଷବର୍ଦ୍ଧନ ଆଲୋଚନା ମଧ୍ୟ କରିଛନ୍ତି। ମନ୍ତ୍ରୀ ଦାସ ରାଜ୍ୟର ସ୍ଥିତି ନେଇ ମତ ରଖିବା ଅବସରରେ କହିଛନ୍ତି, କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କ ସମସ୍ୟାକୁ ଗୁରୁତର ସହ ଗ୍ରହଣ କରନ୍ତୁ। ତାଲାବନ୍ଦ ଖୋଲିବା ପରେ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଲାଗି ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦିଅନ୍ତୁ। ରାଜ୍ୟକୁ ଫେରିବା ପୂର୍ବରୁ ସେହି ଶ୍ରମିକଙ୍କ କରୋନା ପରୀକ୍ଷା କରାଯିବା ଜରୁରୀ। ପରୀକ୍ଷା ପରେ ସେମାନଙ୍କୁ ପ୍ରମାଣପତ୍ର ସହିତ ଫସିଥିବା ରାଜ୍ୟରୁ ଅଣାଯିବା ଦରକାର। ଏଥିଲାଗି ଏକ ଆନ୍ତଃ ରାଜ୍ୟ ଏବଂ ସୀମା ସମ୍ପର୍କିତ ମନ୍ତ୍ରୀସ୍ତରୀୟ କମିଟି ଗଠନ ହେବା ଆବଶ୍ୟକ। ତେବେ ସମସ୍ୟା ସମାଧାନର ରାସ୍ତା ବାହାରିପାରିବ। ସବୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏକଥାକୁ ସୁନିଶ୍ଚିତ କରିବା ଦରକାର ଯେ, ବାହାରେ ଫସିଥିବା ଶ୍ରମିକଙ୍କୁ ଫେରିବା ଆଗରୁ କରୋନା ପରୀକ୍ଷା କରି ଛାଡ଼ିବେ। ଏଥିଲାଗି ସବୁ ରାଜ୍ୟକୁ କେନ୍ଦ୍ର ପକ୍ଷରୁ କରୋନା ପରୀକ୍ଷା କିଟ୍ ପଠାଯିବା ଦରକାର ବୋଲି ଦାସ କହିଛନ୍ତି।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ଓଷଧ ଏବଂ ମେଡିକାଲ ଉପକରଣ ପ୍ରସ୍ତୁତି ପାଇଁ ଫାର୍ମାସ୍ୟୁଟିକାଲ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା ହେବା ଦରକାର। ଏହାସହ ଜାତୀୟ ଓଷଧ ବିତରଣ ନିୟମ ପ୍ରଣୟନ ହେବା ଜରୁରୀ। ରାଜ୍ୟରେ ଏକ ଜାତୀୟ ସ୍ବାସ୍ଥ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଉ। ଏହାଦ୍ୱାରା ତ୍ୱରିତ ପଦକ୍ଷେପ ଲାଗି ସ୍ବାସ୍ଥ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଲିମ ଦେଇପାରିବ। କେନ୍ଦ୍ରୀୟ ମେଡିକାଲ ଉପକରଣ କିଣିବାକୁ ଏକ ସ୍ବତନ୍ତ୍ର ସଂସ୍ଥା ପ୍ରତିଷ୍ଠା କରାଯାଉ। ଓଡ଼ିଶାରେ ଜାତୀୟ ଫାର୍ମାସ୍ୟୁଟିକାଲ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେଲେ ଅତ୍ୟାଧୁନିକ ଗବେଷଣା ମାଧ୍ୟମରେ ନୂତନ ଓଷଧ ବିକଶିତ କରିବାର ସୁଯୋଗ ମିଳିପାରିବ। ନୂତନ ଜାତୀୟ ମାନବ ସମ୍ବଳ ପରିଚାଳନା ନିୟମ ଅଣାଯାଉ ବୋଲି ମନ୍ତ୍ରୀ ଦାସ ଆଲୋଚନା ବେଳେ ମତ ରଖିଛନ୍ତି।