ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ସବ୍‌ଡ଼େଗା, ୨୬।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜଣେ ଲେଖାଏଁ ସହକାରୀ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା। ସବ୍‌ଡେଗା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ନ୍ୟୁ ଓଡ଼ିଶା ଉଚ୍ଚ ବିଦ୍ୟାଳୟ ଗାଈବିରାଠାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ପାଇଁ ଛୁଟି ଘୋଷଣା କରିଥିବା ବେଳେ ମେ ୪ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ବିଦ୍ୟାଳୟକୁ ଆସିବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଜଣାପଡିଛି। ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସୁ ନ ଥିବା ବେଳେ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ବିଦ୍ୟାଳୟକୁ ନିୟମିତ ଆସୁଛନ୍ତି। ଏଣୁ ଏହି ସମୟରେ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଚଳିତ ଶିକ୍ଷାବର୍ଷ ପାଇଁ କଣ ସବୁ କାର୍ଯ୍ୟକ୍ରମ ହାତକୁ ନେବେ କଣ ସବୁ ଯୋଜନା ପ୍ରସ୍ତୁତ କରିବେ ସେସବୁ ବିଷୟରେ ଏହି କର୍ମଶାଳାରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉଜ୍ଜଳ ଏବଂ ଉତ୍‌ଥାନ କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତି, ରେକର୍ଡ ପ୍ରସ୍ତୁତି, ବିଦ୍ୟାଳୟ ନଥିପତ୍ର ପ୍ରସ୍ତୁତି, କ୍ୟାସବହି ଲିପିବଦ୍ଧ, ସ୍କୁଲ ପରିସର, ଶ୍ରେଣୀ ଗୃହ, ସଫା ସୁତରା, ରଙ୍ଗ ଧଉଳାକରଣ, ଶ୍ରେଣୀ ଗୃହ ଓ ବିଦ୍ୟାଳୟର ନାମଲିଖିନ, ଅତ୍ୟାବଶ୍ୟକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଆଦି କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ସ୍ଥିର କରାଯାଇଥିଲା। ସବ୍‌ଡେଗା ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ଏକ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପନ୍ନ ହୋଇଥିଲା। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅକ୍ଷୟ କୁମାର ବେହେରା, ଫକୀର କିସପଟ୍ଟା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ସିଆରସିସି ଅର୍ଜୁନ ରୋହିଦାସ, ପ୍ରଶାନ୍ତ ନାଏକ, ମହେନ୍ଦ୍ର ତନ୍ତୀ, ଲଙ୍କେଶ୍ୱର ନାଏକ, ସଞ୍ଜୟ ଗରଡିଆ, ନରେନ୍ଦ୍ର ପୁରୋହିତ, ସୁରେଶ ପୃଷେଟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କୃଷ୍ଣଚନ୍ଦ୍ର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।