ଶାସଙ୍ଗ ଶ୍ରୀଜଗନ୍ନାଥ ମନ୍ଦିରରେ ପଟିଦିଅଁ ସେବା

ବାଲେଶ୍ୱର ଅଫିସ, ୨୪।୬-ବାଲେଶ୍ୱର ସଦର ବ୍ଲକ ଶାସଙ୍ଗ ଗ୍ରାମରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ସନ୍ଧ୍ୟାରେ ପଟିଦିଅଁମାନଙ୍କୁ ଏକ ଶୋଭାଯାତ୍ରାରେ ଆଣି ମନ୍ଦିରରେ ପହଞ୍ଚାଇବା ପରେ ଠାକୁରମାନଙ୍କଠାରେ ଅନ୍ନଭୋଗ ଲାଗି ପହଣ୍ଡିରେ ଅଣସର ଗୃହକୁ ବିଜେ କରାଯାଇଥିଲା। ତା’ ପରେ ଅଣସର ସମ୍ମୁଖ ଦ୍ୱାର ବନ୍ଦ କରାଯାଇ ପଟିଦିଅଁମାନଙ୍କୁ ନୀତି ଅନୁସାରେ ଦ୍ୱାର ସମ୍ମୁଖରେ ବାଉଁଶରେ ତିଆରି ଚାଞ୍ଚଡାରେ ବିଜେ କରାଯାଇଥିଲା।
୯୦୦ବର୍ଷରୁ ଶ୍ରୀଜୀଉମାନେ ପୂଜା ପାଇ ଆସୁଥିବା ଏହି ଅଞ୍ଚଳରେ ସବୁ ବର୍ଷ ପରି ଚଳିତବର୍ଷ ଗତ ୧୭ତାରିଖରେ ଶ୍ରୀଜୀଉମାନଙ୍କୁ ସ୍ନାନମଣ୍ଡପକୁ ପହଣ୍ଡି କରି ବିଜେ କରାଯାଇଥିଲା। ରୀତିନୀତି ଅନୁଯାୟୀ ଶ୍ରୀଜୀଉମାନଙ୍କ ସ୍ନାନ ପରେ ବେଶ କରାଯାଇଥିଲା ା ଦିନତମାମ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ଫଳ ଭୋଗ ଲଗାଇ ଅଣସର ଗୃହକୁ ମହାପ୍ରଭୁଙ୍କୁ ନିଆଯାଇଥିଲା। ସମ୍ମୁଖ ଦ୍ୱାର ବନ୍ଦ କରାଯାଇ ପଟିଦିଅଁମାନଙ୍କୁ ନୀତି ଅନୁସାରେ ଦ୍ୱାର ସମ୍‌ୁଖରେ ବାଉଁଶରେ ତିଆରି ଚାଞ୍ଚଡାରେ ବିଜେ କରାଯାଇଛି। ସେହିଦିନଠାରୁ ମହାପ୍ରଭୁମାନଙ୍କୁ ଜ୍ୱର ଆସୁଥିବାରୁ ଭକ୍ତମାନେ ଏହି ପଟିଦିଅଁଙ୍କୁ ଦର୍ଶନ କରିଥାନ୍ତି ା ଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ, ବଡଠାକୁରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ପୂଜା ପାଇଥାନ୍ତି। ଏହି ସମୟରେ ଯେହେତୁ ଠାକୁରମାନେ ଜ୍ୱରରେ ଶୟନ କରିଥାନ୍ତି। ଏହି ସମୟରେ ପଟିଦିଅଁମାନଙ୍କଠାରେ ଆଳତି କରାଯାଏ ନାହିଁ କି, ଘଣ୍ଟଘଣ୍ଟା, ମୃଦଙ୍ଗ ଆଦି ବାଜେନାହିଁ। ଏହିଭଳି ପଟିଦିଅଁ ପୂଜା ପାଉଥିବା ଗୃହରେ କେବଳ ଦୀପ ବ୍ୟତୀତ ଅନ୍ୟ କୌଣସି ଆଲୋକର ବ୍ୟବସ୍ଥା କରାଯାଇ ନ ଥାଏ ା ଏହି ପଟିଦିଅଁ ପୂଜା ବ୍ୟବସ୍ଥା ନେତ୍ର ଉତ୍ସବ ପୂର୍ବଦିନ ପର୍ଯ୍ୟନ୍ତ ଚାଲୁ ରହିବ। ଶନିବାର ଠାକୁରମାନଙ୍କୁ ଔଷଧ ରୂପରେ ଦେବ-ପାଞ୍ଚଣ ପ୍ରଦାନ କରାଯାଇ ଦେବତାମାନଙ୍କୁ ଆରୋଗ୍ୟ କାମନା କରାଯାଇଥାଏ।