ଶବ ବ୍ୟବଚ୍ଛେଦରେ ବିଳମ୍ବ ପ୍ରତିବାଦରେ ରାସ୍ତାରୋକୋ

ବାଲିଆପାଳ, ୨୦।୭(ସ୍ବ.ପ୍ର.)-ସ୍ବାମୀ ଘରେ ନ ଥିବା ବେଳେ ଶୋଇବା ଘରେ ବେକରେ ରଶି ଲଗାଇ ସୂର୍ଯ୍ୟାପୁର ଗ୍ରାମର ଶିବ ପ୍ରସାଦ ଜେନାଙ୍କ ସ୍ତ୍ରୀ ସୋନାଲି ଜେନା ଶୁକ୍ରବାର ଆମତ୍ହତ୍ୟା କରିଛନ୍ତି। ମାତ୍ର ବାଲିଆପାଳ ତହସିଲଦାରଙ୍କ ଅନୁପସ୍ଥିତ ଏବଂ ପୋଲିସ ଅବହେଳା ଯୋଗୁ ୭/୮ ଘଣ୍ଟା ଧରି ଝୁଲନ୍ତା ଅବସ୍ଥାରେ ମୃତଦେହ ରହିଥିଲା। ଫଳରେ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିଲା। ଏହାର ପ୍ରତିବାଦ କରି ଗ୍ରାମବାସୀ କମର୍ଦ୍ଦା-ପାରୁଳିଆ ରାସ୍ତାକୁ ଅବରୋଧ କରିଛନ୍ତି।
ବାଲିଆପାଳ ଥାନା ସୂର୍ଯ୍ୟାପୁର ଗ୍ରାମର ଶିବ ପ୍ରସାଦ ଜେନା ୫ ବର୍ଷ ପୂର୍ବେ ଜଳେଶ୍ୱର ଥାନା ନେତୁଆ ଗ୍ରାମର ସ୍ବର୍ଗତ ଦେବେନ୍ଦ୍ର ନାଥ ଜେନାଙ୍କ ଝିଅ ସୋନାଲିଙ୍କୁ ବିବାହ କରିଥିଲେ। ଶିବ ଏକ ଅଟା କଳ ଏବଂ କୁକୁଡା ଫାର୍ମ ପାରୁଳିଆ-ଆସ୍ତି ରାସ୍ତାର ସନ୍ତୋଷୀ ମା’ ମନ୍ଦିର ନିକଟରେ କରି ଭଡ଼ା ଘରେ ରହୁଥିଲେ। ଗୁରୁବାର ରାତିରେ ସୋନାଲି ସୂର୍ଯ୍ୟାପୁରସ୍ଥିତ ଶ୍ୱଶୁର ଘରକୁ ଯାଇଥିଲେ। ଶିବ ଭଡ଼ା ଘରେ ଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଲୋକେ ଅଟା ନେବାକୁ ଆସି ଶିବକୁ ନ ପାଇ ତାଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ। ସୋନାଲି ଓ ଶିବଙ୍କ ବାପା ସେଠାକୁ ଯିବାରୁ ଅଟାକଳ ଘର ତାଲା ପଡ଼ିଥିବା ଦେଖିଥିଲେ। ସେମାନେ ଶିବଙ୍କୁ ନ ପାଇ କୁକୁଡା ଫାର୍ମରେ ପାଣି ଦେବାକୁ ଯାଇଥିଲେ। ସୋନାଲିଙ୍କ ଶ୍ୱଶୁର ଫାର୍ମରେ କାମ କରୁଥିବାବେଳେ ସୋନାଲି ଭଡ଼ା ଘରକୁ ଆଗରେ ଚାଲି ଆସିଥିଲେ। ଶିବଙ୍କ ବାପା କାମ ସାରି ପୂର୍ବାହ୍ନ ୧୦ଟାରେ ଭଡ଼ା ଘରେ ପହଞ୍ଚତ୍ ଘରର କବାଟ ବନ୍ଦ ଥିବା ଦେଖି ବୋହୂଙ୍କୁ ଡାକିଥିଲେ। ହେଲେ ସେ ନ ଶୁଣିବାରୁ ଘରର ପଛକବାଟ ଦେଇ ଦେଖିବାରୁ ସୋନାଲି ଶୋଇବା ଘର ଫ୍ୟାନ୍‌ରେ ଫାଶି ଲଗାଇ ଝୁଲୁଥିବା ଦେଖିବାକୁ ପାଇଥିଲେ। ଶିବ ଗୁରୁବାର ରାତିରେ ଅନ୍ୟ ଜଣେ ମହିଳାଙ୍କୁ ନେଇ କୁଆଡେ ଚାଲି ଯାଇଥିବା ତାଙ୍କ ବାପା ଭାନୁଚରଣ ଜେନା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ଜଣାପଡିବା ପରେ ସୋନାଲିଙ୍କ ଭାଇ ଅମିତ ଜେନା ଏଠାକୁ ଆସି ତା’ ଭଉଣୀଙ୍କୁ ଯୌତୁକ ପାଇଁ ଯୋଜନାବଦ୍ଧ ଭାବେ ହତ୍ୟା କରି ଫାଶୀର ରୂପ ଦିଆଯାଉଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପହଞ୍ଚିଥିଲେ ମଧ୍ୟ ବାଲିଆପାଳ ତହସିଲଦାର ଉପସ୍ଥିତ ନ ଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକୋ ଆନ୍ଦୋଳନ କରିଛନ୍ତି। ଘଟଣାସ୍ଥଳରେ ବସ୍ତା ଏସ୍‌ଡ଼ିପିଓ, ଆଇଆଇସି ଏବଂ ପୋଲିସ ଟିମ୍‌ ପହଞ୍ଚତ୍ ଆଲୋଚନା କରୁଛନ୍ତି। ବାଲିଆପାଳ ଥାନାରେ ଉଭୟ ପକ୍ଷ ପୃଥକ ଅଭିଯୋଗ କରିଛନ୍ତି।