ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅଗ୍ନିଶମ ଅଧିକାରୀ

ଭଦ୍ରକ ଅଫିସ, ୧୪।୬ – ଗୁରୁବାର ସନ୍ଧ୍ୟାରେ ଭଦ୍ରକ ଅଗ୍ନିଶମ ଅଧିକାରୀ ସଂଗ୍ରାମ କୁମାର ହଁାସଦା ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ତାଙ୍କ ସହ ଫାୟାରମ୍ୟାନ ବିଭୁପ୍ରସାଦ ଜେନାଙ୍କୁ ମଧ୍ୟ ଭିଜିଲାନ୍ସ ଟିମ୍‌ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ ୪ ତାରିଖରେ ଗ୍ରାମାଞ୍ଚଳ ଥାନା ସମ୍ମୁଖ ଆର୍‌ଏମ୍‌ସି ମାର୍କେଟ୍‌ କମ୍ପ୍ଲେକ୍ସ ପରିସରରେ ଏକ ଚୂନ ଓ ବ୍ଲିଚିଂ ଗୋଦାମରେ ନିଅଁା ଲାଗି ୩ଟି ଗୋଦାମ ବିସ୍ଫୋରଣ ହୋଇ ପ୍ରାୟ ଶତାଧିକ ଟନର ବ୍ଲିଚିଂ ନଷ୍ଟ ହୋଇଯାଇଥିଲା। ସେହି ସମୟରେ ଭଦ୍ରକ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ଚତୁରତାର ସହ ନିଅଁାକୁ ଆୟତ୍ତ କରିଥିଲେ। ନଷ୍ଟ ହୋଇଥିବା ବ୍ଲିଚିଂ ଓ ଅନ୍ୟାନ୍ୟ ସାମଗ୍ରୀର କ୍ଷୟକ୍ଷତି ଆକଳନ ଦାୟିତ୍ୱ ନେଇଥିଲେ ଭଦ୍ରକ ଅଗ୍ନିଶମ ଅଧିକାରୀ ହଁାସଦା। ଉକ୍ତ ରିପୋର୍ଟ ପ୍ରଦାନ ନିମନ୍ତେ ଗୁରୁବାର ସନ୍ଧ୍ୟାରେ ଭଦ୍ରକ ଦମକଳ କେନ୍ଦ୍ର ପରିସର ନିଜ କାର୍ଯ୍ୟାଳୟରେ ସେ ଗୋଦାମ ମାଲିକଙ୍କ ଆକାଉଣ୍ଟାଣ୍ଟ ଶେଖ୍‌ ଅବଦୁଲ ମୋଜିଦ୍‌ଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭଦ୍ରକ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଥିଲେ। ହେଲେ ଭିଜିଲାନ୍ସ ଟିମ୍‌ଙ୍କୁ ଲାଞ୍ଚ ଟଙ୍କା ଜବତ କରିବାକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ହଁାସଦାଙ୍କଠାରୁ ଉକ୍ତ ଟଙ୍କା ଫାୟାରମ୍ୟାନ ବିଭୁପ୍ରସାଦ ନେଇ ଏକ ଆଲମାରୀ ଭିତରେ ରଖି ଦେଇଥିଲେ। ଭିଜିଲାନ୍ସ ଟିମ୍‌ ଛାନ୍‌ଭିନ କରିବା ପରେ ଟଙ୍କା ପାଇଥିଲେ। ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ସଞ୍ଜୟ କୁମାର ଦାସ ମହାପାତ୍ରଙ୍କ ସମେତ ବାଲେଶ୍ୱର ଡିଏସ୍‌ପି ଡିସି ମୁର୍ମୁ, ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, ସୁନୀଲ ଏକ୍କା ପ୍ରମୁଖ ଚଢ଼ାଉରେ ନେତୃତ୍ୱ ନେଇଥିଲେ।