ଲଗାଣ ବର୍ଷା, ସମସ୍ତ ଅଞ୍ଚଳ ଜଳମୟ: ଜେସିବି ଯୋଗେ ଗ୍ରାମବାସୀ ନିର୍ମାଣ କଲେ ଡ୍ରେନ୍‌

କୃଷ୍ଣପ୍ରସାଦ,୮ା୮(ଡି.ଏନ.ଏ.): କୃଷ୍ଣପ୍ରସାଦ ବ୍ଲକରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁ ସମସ୍ତ ଅଞ୍ଚଳ ଜଳମୟ ହୋଇଉଠିଛି। ବର୍ଷା ପାଣିରେ ଗାଁ ଦାଣ୍ଡ ଉବୁଟୁବୁ ହେଉଛି। ବର୍ଷା ଲାଗି ରହିବାରୁ ଏହା ବିଶେଷ ଭାବେ କୃଷି ଓ କୃଷକଙ୍କ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିଥିଲେ ମଧ୍ୟ ସାଧାରଣ ଜୀବନ ବ୍ୟାହତ ହୋଇଛି। ଘରୁ ବାହାରିଲେ କେବଳ ଜଳ ହିଁ ଜଳ ଦୃଷ୍ଟିଗୋଚର ହେଉଛି। ମାଲୁଦ ଅଞ୍ଚଳର କରଣ ସାହି, ପାଇକ ସାହି, ରାଜାବଜାର କିଛି ଘର ଭିତରକୁ ପାଣି ପଶିଯିବାରୁ ଲୋକେ ହଇରାଣ ହୋଇଥିବା ସୂଚନା ମିଳିଛି। ସେହିଭଳି ପାରିକୁଦ, ଅଲ୍ଲୀପୁର, ପାଟନାସୀ, ଶ୍ରୀରାମପୁର, ରସକୁଦି ଅଞ୍ଚଳର ଗାଁ ଦାଣ୍ଡରେ ବର୍ଷା ଜଳ ପ୍ରବାହିତ ହେଉଛି। ଚିଲିକା ଜଳ ବଢ଼ି ଗାଁ ମୁହାଁ ହେବାରୁ କେତେଜଣ ଆତଙ୍କ ଓ ଆଶଙ୍କା ମଧ୍ୟରେ ଦିନ ବିତାଉଛନ୍ତି। ମାଲୁଦ ରାସ୍ତା ମଧ୍ୟ ଜଳରେ ଡୁବିଯାଇଥିବାରୁ ଲୋକଙ୍କ ଯାତାୟତରେ ଘୋର ସମସ୍ୟା ସୃଷ୍ଟି ହୋଇଛି। ବର୍ଷାଋତୁରେ ଜନସାଧାରଣ ହଇରାଣ ହେଉଥିବାରୁ ଏଠାରେ ଡ୍ରେନ ନିର୍ମାଣ ନିମନ୍ତେ ଦୀର୍ଘବର୍ଷ ଧରି ଦାବି ହୋଇଆସୁଛି। ତେବେ ପ୍ରଶାସନ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମାଲୁଦ ଗ୍ରାମବାସୀ ଜେସିବିି ଦ୍ୱାରା ଅସ୍ଥାୟୀ ଡ୍ରେନ୍‌ କରି ଜଳ ନିଷ୍କାସନ କରିଥିବା ସୂଚନା ମିଳିଛି।