ରେଳ ଷ୍ଟେଶନର ତରବରିଆ ସୌନ୍ଦର୍ଯ୍ୟକରଣ

ବସ୍ତା,୭।୧(ଡି.ଏନ.ଏ.)- ଦକ୍ଷିଣପୂର୍ବ ରେଳବାଇର ବିଭାଗୀୟ ଜିଏମ ଆସନ୍ତା ୧୦ ତାରିଖରେ ରୂପସାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ପରିଦର୍ଶନ କରିବା ପରେ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ବସ୍ତା ଷ୍ଟେଶନ ବୁଲି ସମସ୍ୟା ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବସ୍ତା ଷ୍ଟେଶନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳୁଛି। ବସ୍ତା ଷ୍ଟେଶନରେ ଭିତ୍ତିଭୂମିର ବିକାଶ , ରେଳଯାତ୍ରୀଙ୍କୁ ମୌଳିକ ସୁବିଧା ଦେବା, ପୁରୀରୁ ଦିଲ୍ଲୀ ଯାଉଥିବା ନନ୍ଦନକାନନ, ନୀଳାଚଳ ଏକ୍ସପ୍ରେସ, ଓଡ଼ିଶା ସମ୍ପର୍କକ୍ରାନ୍ତି ଓ ଜନଶତାବ୍ଦୀ ଟ୍ରେନର ରହଣି ସାଙ୍ଗକୁ ଖଡ଼ଗପୁର ଖୋର୍ଦ୍ଧାରୋଡ଼ ଫାଷ୍ଟ ପାସେଞ୍ଜରକୁ କଟକ ଦେଇ ଚଳାଚଳ କରିବା ପାଇଁ ଦୀର୍ଘଦିନ ଧରି ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ରେଳ କର୍ତ୍ତୃପକ୍ଷ ଏସବୁ ଦାବିକୁ ଅଣଦେଖା କରି ଏବେ ଲୋକଦେଖାଣିଆ ଭାବେ ଏବେ ଷ୍ଟେଶନରେ ରଙ୍ଗ ଦେବା କାମ ଆରମ୍ଭ ହାଇଥିବାରୁ ରେଳଯାତ୍ରୀଙ୍କ ସମେତ ଅଞ୍ଚଳବାସୀ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଜିଏମଙ୍କ ଗସ୍ତ ପୂର୍ବରୁ ଏପରି ଲୋକଦେଖାଣିଆ କାମକୁ ଜିଲା ଜେଏମଏମ ସଭାପତି କମଲ ଲୋଚନ ବାରିକ ମଧ୍ୟ ସମାଲୋଚନା କରିଛନ୍ତି। ଜିଏମଙ୍କ ଗସ୍ତ ବେଳେ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ପକ୍ଷରୁ ତାଙ୍କୁ ଦାବିପତ୍ର ପ୍ରଦାନ ଲାଗି ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।