ରେଳ ଧାରଣାରୁ ଯୁବକ, ମହିଳାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୧୭ା୪-ରେଳବାଇ ପୋଲିସ ସ୍ଥାନୀୟ ନାରୀ ସେବା ସଦନ ନିକଟ ରେଳ ଧାରଣାରୁ ମଙ୍ଗଳବାର ସକାଳେ ଜଣେ ଯୁବକ ଓ ଜଣେ ମହିଳାଙ୍କ ମୃତଦେହ ଜବତ କରିଥିଲା। ସେଠାରୁ ମିଳିଥିବା ମୋବାଇଲ ଫୋନରୁ ଯୁବକଙ୍କ ପରିବାର ସହ ପୋଲିସ ଯୋଗାଯୋଗ କରିଥିଲା। ପୋଲିସଠାରୁ ସୂଚନା ପାଇ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖରିଡା ଗ୍ରାମର ଲକ୍ଷ୍ମୀ ନାହାକ ଓ ତାଙ୍କ ସାନ ପୁଅ ବିକ୍ରମ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ଯୁବକ ଜଣକ ନିଜ ପୁଅ ଗୋପାଳ ବୋଲି ଲକ୍ଷ୍ମୀ ଚିହ୍ନଟ କରିଥିବା ପୋଲିସ ସ୍ପଷ୍ଟ କରିଛି। ସେହିପରି ମୃତ ମହିଳା ଜଣକ କୁକୁଡ଼ଖଣ୍ଡିର ଦେବକୀ ଦାସ ବୋଲି ତାଙ୍କ ଶ୍ୱଶୁର ମେଡିକାଲରେ ଚିହ୍ନଟ କରିଛନ୍ତି।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମୃତଦେହ ୨ଟି ପଞ୍ଚନାମା କରାଯାଇଛି। ୧୧/୧୯ରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇଛି। ଅନୈତିକ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଉଭୟେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଗୋପାଳ ଇଚ୍ଛାପୁର ଅଞ୍ଚଳରେ ଏକ ଇଟାଭାଟିରେ ଶ୍ରମିକ କାମ କରୁଥିଲେ। କିଛିଦିନ ତଳେ ସେ ଗ୍ରାମକୁ ଆସିଥିଲେ। ସୋମବାର ଅପରାହ୍ନରେ ଇଚ୍ଛାପୁର ଯାଉଛି କହି ଘରୁ ବାହାରିଥିଲେ ବୋଲି ତାଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି।