ରିଲାକ୍ସ ଥେରାପି

ସୁସ୍ଥ ତଥା ନୀରୋଗ ଜୀବନ ଯାପନ ପଛରେ ବ୍ୟାୟାମର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଜଣେ ନିଜ ଦୈନନ୍ଦିତ ଜୀବନ ତାଲିକାରେ ଏହାକୁ ସାମିଲ କରେ ତେବେ ତା’ଦ୍ୱାରା କେତେ ଉପକାର ମିଳେ ତାହା ଅନୁଭବୀ ହିଁ ଜାଣେ। କେତେକ ବ୍ୟାୟାମ କରିବା ସମୟରେ ଗୀତ ଶୁଣିବାକୁ ଭଲ ପାଆନ୍ତି। କାନରେ ଇୟର ଫୋନ୍‌ ଦେଇ ଓ୍ବାକିଂ, ଜଗିଂ କରୁଥିବାର ଅନେକଙ୍କୁ ଦେଖିବାକୁ ମିଳୁଛି। ହେଲେ ବ୍ୟାୟାମ ସମୟରେ ଗୀତ ଶୁଣିବା ଏକ ଭଲ ଅଭ୍ୟାସ ଏବଂ ତାହାର ସୁପ୍ରଭାବ ଶରୀର ଉପରେ ପଡିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି। ବ୍ୟାୟାମ ସମୟରେ ଗୀତ ଶୁଣିବାକୁ ସେମାନେ ‘ରିଲାକ୍ସ ଥେରାପି’ ନାମରେ ନାମିତ କରିଛନ୍ତି। ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମାନସିକତା ସକାରାତ୍ମକ ରହିବା ସହ ମସ୍ତିଷ୍କର କାର୍ଯ୍ୟଧାରା ଆହୁରି ସକ୍ରିୟ ରହିଥାଏ। ଯଦି ଅଧିକ ସମୟ ବ୍ୟାୟାମ କରୁଛନ୍ତି ତେବେ ଥକା ଲାଗିବା ସ୍ବାଭାବିକ। ଏହି ସମୟରେ ମନରେ ପ୍ରଫୁଲ୍ଲତା ଭରିଦିଏ ଗୀତ ଶୁଣିବା। ବ୍ୟୟାମ ସମୟରେ ଗୀତ ଶୁଣୁଥିବା କେତେକ ବ୍ୟକ୍ତିଙ୍କ ଉପରେ ଗବେଷଣା କରି ସେମାନେ ଏପରି ମତବ୍ୟକ୍ତ କରିଛନ୍ତି।