ରାସ୍ତାରେ ସାରୁଗଛ ପୋତି ପ୍ରତିବାଦ

ଖଇରା, ୨୮।୭(ଡି.ଏନ.ଏ.)-୩ବର୍ଷ ତଳେ ନିର୍ମିତ ହୋଇଥିବା ସୋର-କୁପାରୀ ରାଜ୍ୟ ରାଜପଥର ଅବସ୍ଥା ଶୋଚନୀୟ ହେବାକୁ ବସିଲାଣି। ରାସ୍ତାର ସ୍ଥାନେ ସ୍ଥାନେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ପରେ ପ୍ରତ୍ୟେକ ଦିନ ବାଇକ୍‌ ଓ ସାଇକେଲ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷ କରି ରାସ୍ତାର ବାଙ୍କିତିରାଠାରେ ବଡ଼ଧରଣର ଖାଲ ପ୍ରତ୍ୟେକ ମୁହୂର୍ତ୍ତରେ ବିପଦ ଆଶଙ୍କା ସୃଷ୍ଟି କରୁଛି। ପୂର୍ତ୍ତ ବିଭାଗକୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ମରାମତି ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ନିମ୍ନମାନର କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ଭିଜିଲାନ୍ସ ତଦନ୍ତ ଦାବି କରାଯାଇଥିଲେ ହେଁ ଏହା ଏବେ ପୁରୁଣା ଫାଇଲ୍‌ ଗଦାରେ ଲୁଚିଗଲାଣି। ଏହାର ପ୍ରତିବାଦ କରି ବାଙ୍କିତିରା ଛକରେ ଲୋକଙ୍କୁ ଦୁର୍ଘଟଣାରେ ରକ୍ଷା କରିବା ଲାଗି ସ୍ଥାନୀୟ ଗ୍ରାମବାସୀ ସାରୁଗଛ ପୋତି ଦେଇଛନ୍ତି। ଏହାପରେ ଯଦି ମରାମତି କରା ନ ଯାଏ ତେବେ ଗ୍ରାମବାସୀ ରାଜପଥ ଅବରୋଧ ଲାଗି ଚେତାବନୀ ଦେଇଛନ୍ତି।