‘ରାଜ୍ୟରେ ସରକାର ପରିବର୍ତ୍ତନର ସମୟ ଆସିଛି’

ଆଠଗଡ଼,୨୨ା୪(ସ୍ବ.ପ୍ର.): ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସ୍ଥାଣୁ ପାଲଟିବା ସହ ରାଜ୍ୟର ବିକାଶରେ ବାଧକ ସାଜିଛି। ତେଣୁ ଏବେ ରାଜ୍ୟର ଏହି ସ୍ଥାଣୁ ସରକାରକୁ ପରିବର୍ତ୍ତନ କରିବାର ସମୟ ଆସିଛି। ରବିବାର ଭାଜପା ପକ୍ଷରୁ କଟକ ଜିଲା ଆଠଗଡ଼ରେ ଆୟୋଜିତ ନିର୍ବାଚନୀ ପ୍ରଚାର ସଭାରେ ଯୋଗଦେଇ କେନ୍ଦ୍ର ରେଲଓ୍ବେ ଓ କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ ଏ କଥା କହିଛନ୍ତି। ଏଥିସହିତ ସେ କହିଛନ୍ତି, ରାଜ୍ୟରେ ପ୍ରାକୃତିକ ଖଣିଜ ସମ୍ପଦ ଓ ଜଳ ସମ୍ପଦ ଭରପୂର ରହିଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏହାର ସଦୁପଯୋଗ ହୋଇପାରୁ ନାହିଁ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଶେଷକରି ‘ଆୟୁଷ୍ମାନ ଭାରତ’କୁ ବିଜେଡି ସରକାର ରାଜନୈତିକ ଅଭିସନ୍ଧି ରଖି କାର୍ଯ୍ୟକାରୀ ନ କରିବା ଏବଂ କିଷାନ ନିଧି ଯୋଜନାର ସହାୟତା ରାଶି ପ୍ରଦାନ ପାଇଁ କୃଷକଙ୍କ ନାମ ତାଲିକା କେନ୍ଦ୍ର ସରକାରଙ୍କୁ ନ ଦେବା ଦୁର୍ଭାଗ୍ୟଜନକ। ଓଡିଶାବାସୀ ଏହାକୁ ଭଲଭାବେ ବୁଝି ସାରିଲେଣି। ଚଳିତ ନିର୍ବାଚନରେ ଏହାର ଉଚିତ ଜବାବ ଦେଇ ରାଜ୍ୟ ସରକାରଙ୍କୁ ପରିବର୍ତ୍ତନ ଲାଗି ମନସ୍ଥିର କରିସାରିଛନ୍ତି ବୋଲି ଗୋଏଲ ପ୍ରକାଶ କରିଥିଲେ। ସେହିପରି ରେଲଓ୍ବେ କ୍ଷେତ୍ରରେ ବିକାଶ ଲାଗି କେନ୍ଦ୍ର ସରକାର ଓଡିଶା ପାଇଁ ପର୍ଯ୍ୟାୟକ୍ରମେ ପ୍ରତିବର୍ଷ ବଜେଟରେ ବ୍ୟାପକ ଆର୍ଥତ୍କ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ନୂତନ ରେଳଲାଇନ ଲାଗି ରାଜ୍ୟ ସରକାର ଠିକ ସମୟରେ ଜମି ଯୋଗାଇଦେଇ ପାରୁ ନ ଥିବାରୁ କାମ ଆଗେଇ ପାରୁ ନ ଥିବା ଗୋଏଲ ଅଭିଯୋଗ କରିଥିଲେ। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଯେଉଁ ବିକାଶର ଧାରାକୁ ଆଗେଇ ନେଉଛନ୍ତି ତାକୁ ଆହୁରି ଗତିଶୀଳ କରିବା ପାଇଁ ଏବଂ ଓଡିଶାର ବିକାଶକୁ ତ୍ୱରାନ୍ବିତ କରିବାକୁ ହେଲେ ଏଠାରେ ଭାଜପାର ସରକାର ହେବା ଦରକାର। ଏଥିଲାଗି ଓଡିଶାବାସୀ ଭାଜପା ପ୍ରାର୍ଥୀମାନଙ୍କୁ ବିଜୟୀ କରାଇବାକୁ ଗୋଏଲ ନିବେଦନ କରିଥିଲେ।
ଆଠଗଡ଼ ମହିଳା କଲେଜ ନିକଟସ୍ଥ ମିନି ଷ୍ଟାଡିୟମରେ ରାମନାରାୟଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ନେତା ତଥା ଅଭିନେତା ଶ୍ରୀତମ ଦାସ, କଟକ ଜିଲା ଭାଜପା ସଭାପତି ଚୌଧୁରୀ ହେମନ୍ତ ସାହୁ, କଟକ ଲୋକ ସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ଆଠଗଡ଼ ବିଧାନସଭା ପ୍ରାର୍ଥୀ ବ୍ରଜେନ୍ଦ୍ର କୁମାର ରାୟ, ବରିଷ୍ଠ ନେତା ତୁଳସୀ ଅଗ୍ରୱାଲ ପ୍ରମୁଖ ଉଦ୍‌ବୋଧନ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିଥିଲେ। ସଭାରେ ଆଠଗଡ଼ର ସ୍ଥାନୀୟ ନେତା ବିକ୍ରମ କେଶରୀ ଦାଶ, ପ୍ରାଣବନ୍ଧୁ ସେନାପତି, ଜିଲା ସହପ୍ରଭାରି ଜଗନ୍ନାଥ ଦାସ, ହରିହର ସାହୁ, ଜଗଦାନନ୍ଦ ତ୍ରିପାଠୀ, ହରେକୃଷ୍ଣ ମହାନ୍ତି, ସ୍ବାଗତା ପଟ୍ଟନାୟକ, ଅରୁଣ ମହାନ୍ତି, ପ୍ରକାଶ ସେଠୀ, ତପନ ଲେଙ୍କା, ପ୍ରମୋଦ ରାୟ, ବିଚିତ୍ରାନନ୍ଦ ଜେନାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ।